
ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଚାପ ପ୍ରଶମନ କର୍ମଶାଳା ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟଠାରେ ଶନିବାର ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବା, ପରୀକ୍ଷା ଓ ପାଠପଢ଼ା ଜନିତ ଚାପ ଦୂରୀକରଣ ଲକ୍ଷ୍ୟରେ “ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଚାପ ପ୍ରଶମନ” ଶୀର୍ଷକ ଏକ ବିଶେଷ ଜାଗରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇତିହାସ ବିଭାଗର ଅଧ୍ୟାପକ ଗୁଣସାଗର ମେହେର ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଛାତ୍ରଜୀବନରେ ମାନସିକ ସନ୍ତୁଳନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜୁନିୟର କଲେଜର ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ହୃଦାନନ୍ଦ ପୁହାଣ ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ଏନଏସଏସ. ସଂଯୋଜକ ଛନ୍ଦାଚରଣ ଖୁଣ୍ଟିଆ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସୀ ହେବାକୁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମ୍ପିଏଚ୍ରୁ ସାଇକେଟ୍ରିକ୍ ସୋସିଆଲ ୱର୍କର ବିଷୟ ବିଶେଷଜ୍ଞ ମଳୟ କୁମାର ନାଗ ଓ ଡିଏସିରୁ କ୍ଲିନିକାଲ ସାଇକୋଲୋଜିଷ୍ଟ ପ୍ରିୟାପ୍ରତୀକ୍ଷା ଧରୁଆ ଯୋଗଦେଇ ମାନସିକ ଚାପର କାରଣ, ଏହାର ଲକ୍ଷଣ ଏବଂ ସରଳ ଉପାୟରେ କିପରି ଚାପମୁକ୍ତ ରହି ପାଠପଢ଼ାରେ ମନୋନିବେଶ କରିହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମାନସିକ ସମସ୍ୟାକୁ ଲୁଚାଇ ନ ରଖି ଠିକ୍ ସମୟରେ ପରାମର୍ଶ ନେବାକୁ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟର ପ୍ରାୟ ୧୩୦ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ନିଜର ଦ୍ୱନ୍ଦ୍ୱ ଦୂର କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପକ ସୋମେଶ ଦତ୍ତ ହୋତା ଉପସ୍ଥିତ ଅତିଥି, ବିଶେଷଜ୍ଞ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।