
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଜାଲେସପଟ୍ଟା ସ୍ଥିତ ସଂସ୍କୃତ କନ୍ୟାଶ୍ରମ ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଇଁ ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ଚଳାଚଞ୍ଚଳ ହୋଇଛି । ଅନ୍ତେବାସୀଙ୍କୁ ନେଇ ସକାଳୁ ସକାଳୁ ବାବା ଜଳେଶ୍ୱର ମନ୍ଦିର ନିକଟ ରାହୁଲ ନଦୀର ଜଳ ପୂଜାର୍ଚ୍ଚନା କରି କଳସ ଶୋଭାଯାତ୍ରାରେ ଅଣାଯାଇ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଜଳାଭିଷେକ କରାଯାଇଥିଲା । ହରିନାମ ସଂକୀର୍ତ୍ତନ, କଳସ ଶୋଭାଯାତ୍ରା, ଗୀତାଜ୍ଞାନ, ଗୋ ପୂଜନ, ହୋମଯଜ୍ଞ ଓ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ସମାପନ ହୋଇଛି । ଅପରାହ୍ନରେ ଆଶ୍ରମ ପରିସରରେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ଅବର୍ତ୍ତମାନରେ ଆମେ ସଂକଳ୍ପ ନେବା ସେବା, ସମର୍ପଣ ଓ ଧର୍ମ ରକ୍ଷା କଲେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇ ପାରିବ ବୋଲି ଅନୁଗାମୀ ମତ ପ୍ରକାଶ କରିଛନ୍ତି । ସ୍ୱାମୀଜୀ କନ୍ଧମାଳରେ ମହିଳା ଆତ୍ମନିର୍ଭରଶୀଳ, ମହିଳା ଶିକ୍ଷା ସଂସ୍କୃତି ଓ କୃଷିକୁ ପ୍ରାଧାନ୍ୟ ଦେବା ସହ ଧର୍ମାନ୍ତୀ କରଣ ଓ ଗୋ-ହତ୍ୟାକୁ ବିରୋଧ କରୁଥିଲେ ସେନେଇ ବୁଦ୍ଧିଜୀବୀ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି ଚାରଣ କରିଥିଲେଜ୍ଝ । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ବାଲିଗୁଡା ଏସ୍ଡିପିଓ ଶୁଭମ ଭୋସଲେ, ତୁମୁଡିବନ୍ଧ ଥାନା ଅଧିକାରୀ ନିରଞ୍ଜନ ଦାସଙ୍କ ସମେତ ପୋଲିସ ଅଧିକାରୀ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ଜନ୍ମାଷ୍ଟମୀ ଓ ବଳିଦାନ ଦିବସ ପାଳିତ ହୋଇଛି । ସ୍ୱାମୀଜୀଙ୍କ ହତ୍ୟାକାଣ୍ଡକୁ ଅଠର ବର୍ଷ ପୂରି ଥିବା ବେଳେ ଏ ଯାଏଁ ପ୍ରକୃତ ହତ୍ୟାକାରୀ କି’ଏ ଜଣାପଡିନି । କମିଶନର ତଦନ୍ତ ଶେଷ ହୋଇଥିଲେ ମଧ୍ୟ ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇ ପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସ୍ୱାମୀଜୀଙ୍କ ଅନୁଗାମୀ ଓ ବିଶ୍ୱ ହିନ୍ଦୁ ପରିଷଦ । ସ୍ୱାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଜାଲେସପଟ୍ଟା ଆଶ୍ରମ ପରିଚାଳକ ସ୍ଵାମୀ ମୁକ୍ତା ନନ୍ଦଜୀ ପୁରୀ, ମହିମା ସମାଜ ସାଧୁ ପ୍ରଭାକର ଦାସ, ସୁଦୟା ବାବା, ସ୍ୱାମୀ ବାନପ୍ରସ୍ତୀ ଶ୍ରୀବଛସ୍ମୃତି ପଥିକ, ବିଶ୍ୱ ହିନ୍ଦୁ ପରିଷଦ ରାଜ୍ୟ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ୱାଇଁ, ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ମହେଶ ସାହୁ, ପୂର୍ବତନ ସଭାପତି ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ, ପ୍ରିୟ ନାଥ ଶର୍ମା, ପୂର୍ବପ୍ରାନ୍ତ ସହ ସଂପାଦକ ବିଶ୍ୱହିନ୍ଦୁ ପରିଷଦ ତଥା ସମ୍ପାଦକ ଜାଲେସପଟ୍ଟା କନ୍ୟାଶ୍ରମ ଅରୁଣ ପ୍ରସାଦ ପାଢ଼ୀ, ଫୁଲବାଣୀ ବିଧାୟକ ଉମା ଚରଣ ମଳିକ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି, ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ସଭାପତି ଲକ୍ଷ୍ମୀ ନାରାୟଣ ରଥଙ୍କ ସମେତ ଅନ୍ତେବାସୀ ବୁଦ୍ଧିଜୀବୀ ସ୍ୱାମୀଜୀଙ୍କ ଅନୁଗାମୀ ପ୍ରମୁଖ ଉପସ୍ଥିତ ଥିଲେ । ଏକଲ ଅଭିଯାନ ରାଜ୍ୟ ସମ୍ପାଦକ ପ୍ରିୟ ରଞ୍ଜନ ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଶ୍ରମ ସଭାପତି ହୀରାଲାଲ ପ୍ରଧାନ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।