jayashree

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ପୋଷଣ ଅଭିଯାନ ସମ୍ପର୍କରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆଜି କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ପୋଷଣ ଓ ସୁସ୍ଥ ଜୀବନଶୈଳୀ ବିଷୟବସ୍ତୁକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି। ଏହି କର୍ମଶାଳାରେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା, ସମ୍ବେଦନଶୀଳତା ଓ ସୁରକ୍ଷିତ ପରିବେଶର ଗୁରୁତ୍ୱ ସହିତ ସନ୍ତୁଳିତ ପୋଷଣ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଜ୍ଞାନ ବିନିମୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମରେ ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇଏଫଏସ୍ ପ୍ରମୋଦ କୁମାର ମର୍କାପ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ବିଷୟବସ୍ତୁ ଉପରେ ନିଜର ମତାମତ ରଖିଥିଲେ।
ଶ୍ରୀ ମିଶ୍ର ନିଜ ଅଭିଭାଷଣରେ କହିଥିଲେ ଯେ, ଲିଙ୍ଗଗତ ନ୍ୟାୟ କେବଳ ମହିଳାଙ୍କ ସହ ଜଡ଼ିତ ବିଷୟ ନୁହେଁ, ବରଂ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର, ସୁଯୋଗ ଓ ସମ୍ମାନ ସହ ସମ୍ପର୍କିତ। କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ସଚେତନତା ବୃଦ୍ଧି ସହିତ ଏକ ସମାବେଶୀ, ସୁରକ୍ଷିତ ଓ ସମ୍ମାନଜନକ ପରିବେଶ ଗଠନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଆଇସିସି ସମ୍ପର୍କିତ ବ୍ୟବସ୍ଥା ଓ ଅଧିକାର ବିଷୟରେ କର୍ମଚାରୀମାନେ ସଚେତନ ହେବା ସହ ଏ ସମ୍ପର୍କିତ ପ୍ରଶ୍ନ ନିର୍ଭୟରେ ପଚାରିବା ଏବଂ ଖୋଲା ମନରେ ଆଲୋଚନା କରିବାକୁ ସେ ଆହ୍ୱାନ ଦେଇଥିଲେ। ‘ହଁ’ କହିବାର ସ୍ୱାଧୀନତା ଯେତିକି ଗୁରୁତ୍ୱପୂର୍ଣ୍ଣ, ‘ନା’ କହିବାର ସ୍ୱାଧୀନତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ଶ୍ରୀ ମିଶ୍ର କହିଥିଲେ ଯେ, ‘ନା’ର ଅର୍ଥ ‘ନା’ ହିଁ ଏବଂ ଏହାକୁ କୌଣସି ଯୁକ୍ତି, ବ୍ୟାଖ୍ୟା କିମ୍ବା ଚାପ ଦ୍ୱାରା ପରିବର୍ତ୍ତନ କରାଯାଇପାରିବ ନାହିଁ। ଅନ୍ୟ ବ୍ୟକ୍ତିଙ୍କ ଇଚ୍ଛା, ସମ୍ମତି ଓ ବ୍ୟକ୍ତିଗତ ସୀମାକୁ ସମ୍ମାନ କରିବା ଏକ ସୁସ୍ଥ ସାମାଜିକ ଓ କାର୍ଯ୍ୟ ପରିବେଶର ମୂଳ ଆଧାର ବୋଲି ସେ କହିଥିଲେ। ଏହି ମୂଲ୍ୟବୋଧ କେବଳ କାର୍ଯ୍ୟକ୍ଷେତ୍ରରେ ସୀମିତ ନ ରହି ପାରିବାରିକ ଓ ସାମାଜିକ ଜୀବନରେ ମଧ୍ୟ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ମତ ପ୍ରକାଶ କରିଥିଲେ।
ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇଏଫଏସ୍ ଶ୍ରୀ ପ୍ରମୋଦ କୁମାର ମର୍କାପ କହିଥିଲେ ଯେ, କ୍ଷୁଧା ଏବେ ଦାନର ବିଷୟ ନୁହେଁ, ବରଂ ଏହା ନ୍ୟାୟର ବିଷୟ। ସରକାରଙ୍କ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ସତ୍ତ୍ୱେ ପୋଷଣ ଅଭାବ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଥିଲେ। ଗର୍ଭବତୀ ଓ ପ୍ରସୂତି ମା’ଙ୍କ ସମେତ ଶିଶୁମାନଙ୍କ ପୋଷଣ ପ୍ରତି ବିଶେଷ ଯତ୍ନ ନେବା ସହ ଜୀବନର ପ୍ରଥମ ୧୦୦୦ ଦିନର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ମିଲେଟ୍‌ ଭଳି ପୋଷଣଯୁକ୍ତ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ସାମିଲ କରିବା ଏବଂ କାର୍ଯ୍ୟକ୍ଷେତ୍ରରେ ପୌଷ୍ଟିକ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ, ଲିଙ୍ଗଗତ ସମ୍ବେଦନଶୀଳତାକୁ ଅକ୍ଷରେ ଅକ୍ଷରେ ନୁହେଁ, ବରଂ ଏହାର ମର୍ମକୁ ବୁଝି କାର୍ଯ୍ୟକାରୀ କରିବା ସହ ମହିଳାଙ୍କ ପ୍ରତି ରହିଥିବା ରୁଢ଼ିବାଦୀ ଧାରଣା ଦୂର କରି ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟପରିବେଶ ସୁନିଶ୍ଚିତ କରିବାକୁ ସେ ଆହ୍ୱାନ ଦେଇଥିଲେ।
ପ୍ରଥମ ବୈଷୟିକ ଅଧିବେଶନରେ ‘କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା’ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ୟୁନିସେଫ୍‌ର ରାଜ୍ୟ ପରାମର୍ଶଦାତା ଶ୍ରୀମତୀ ଜୟାଜ୍ୟୋତି ପଣ୍ଡା, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଭୁବନେଶ୍ୱରର ସଦସ୍ୟ ଡ. ହିମାଦ୍ରି ତନୟା ମିଶ୍ର ଏବଂ ଇଡକୋର ଲ୍ୟାଣ୍ଡ ଅଫିସର ଶ୍ରୀମତୀ ପଦ୍ମଜା ଦାଶ ଯୋଗଦେଇ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା, ସମ୍ବେଦନଶୀଳତା ଓ ସୁରକ୍ଷିତ ପରିବେଶ ସୃଷ୍ଟି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ଦ୍ୱିତୀୟ ବୈଷୟିକ ଅଧିବେଶନରେ ‘ପୋଷଣ ଓ ସୁସ୍ଥ ଜୀବନଶୈଳୀ’ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରମୋଦ କୁମାର ମର୍କାପ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ମୁଖ୍ୟ ଡ. ବିଭାବରୀ ବଳ ଏବଂ ଶ୍ରୀମତୀ ଜୟାଜ୍ୟୋତି ପଣ୍ଡା ଯୋଗଦେଇ ପୋଷଣର ଗୁରୁତ୍ୱ, ସୁସ୍ଥ ଖାଦ୍ୟାଭ୍ୟାସ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ମତବିନିମୟ କରିଥିଲେ।
କର୍ମଶାଳାର ଶେଷ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା, ପୋଷଣ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରି ବିଶେଷଜ୍ଞମାନଙ୍କ ସହ ମତବିନିମୟ କରିଥିଲେ। ସିବିସି, ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣରେ କର୍ମଶାଳାର ଉଦ୍ଦେଶ୍ୟ ଓ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ସକ୍ରିୟ ଭାବେ ଆଲୋଚନାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ସିବିସି, ଭୁବନେଶ୍ୱରର କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀମତୀ ସସ୍ମିତା ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।
କର୍ମଶାଳାରେ କାର୍ଯ୍ୟକ୍ଷେତ୍ରକୁ ଅଧିକ ସମାବେଶୀ, ସୁରକ୍ଷିତ ଓ ସମ୍ବେଦନଶୀଳ କରିବା ସହିତ ସନ୍ତୁଳିତ ପୋଷଣ ଓ ସୁସ୍ଥ ଜୀବନଶୈଳୀ ଆପଣାଇବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ସିବିସି ଏବଂ ପିଆଇବି ଭୁବନେଶ୍ୱରର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.