jayashree

ଏନ୍‌ଆଇଟି ରାଉରକେଲାର ବଡ଼ ସଫଳତା : ଇଭି ବ୍ୟାଟେରୀର ଆୟୁ ବଢ଼ାଇବ ନୂଆ ହାଇବ୍ରିଡ୍ ସିଷ୍ଟମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ଏନ୍‌ଆଇଟି ରାଉରକେଲାକୁ ମିଳିଛି ବଡ଼ ସଫଳତା । ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟାଟେରୀର ଆୟୁ ଓ ଦକ୍ଷତା ବଢ଼ାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ବିକଶିତ ହୋଇଛି ଏକ ଅତ୍ୟାଧୁନିକ ହାଇବ୍ରିଡ୍ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ । ଏହି ନୂଆ ପ୍ରଯୁକ୍ତି ପାଇଁ ଏନ୍‌ଆଇଟି ରାଉରକେଲା ପେଟେଣ୍ଟ ମଧ୍ୟ ହାସଲ କରିଛି । ଇଲେକ୍ଟ୍ରିକ୍ ଯାନରେ ବାରମ୍ବାର ଷ୍ଟାର୍ଟ-ଷ୍ଟପ୍, ହଠାତ୍ ବ୍ରେକ୍ ଓ ଦ୍ରୁତ ଆକ୍ସିଲେରେସନ୍ ଯୋଗୁଁ ବ୍ୟାଟେରୀ ଉପରେ ଅଧିକ ଚାପ ପଡ଼ିଥାଏ । ଫଳରେ ବ୍ୟାଟେରୀର ଆୟୁ କମିବା ସହ କାର୍ଯ୍ୟଦକ୍ଷତା ମଧ୍ୟ ପ୍ରଭାବିତ ହୁଏ । ଏହି ସମସ୍ୟାର ସମାଧାନ ପାଇଁ ବ୍ୟାଟେରୀ ସହ ସୁପରକ୍ୟାପାସିଟରକୁ ଯୋଡ଼ି ଏକ ହାଇବ୍ରିଡ୍ ସିଷ୍ଟମ୍ ବିକଶିତ କରାଯାଇଛି । ହଠାତ୍ ଅଧିକ ପାୱାରର ଆବଶ୍ୟକତା ହେଲେ ସୁପରକ୍ୟାପାସିଟର ଏହାକୁ ସମ୍ଭାଳିବ ଏବଂ ବ୍ୟାଟେରୀ ଉପରେ ପଡ଼ୁଥିବା ଚାପକୁ କମାଇବ । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ମୋନାଲିସା ପଟ୍ଟନାୟକଙ୍କ ନେତୃତ୍ୱରେ ଡ. ପ୍ରଦ୍ୟୁମ୍ନ କୁମାର ବେହେରା ଓ ଗବେଷକ କରଣ ଗୁପ୍ତା ଏହି ପ୍ରଯୁକ୍ତି ବିକଶିତ କରିଛନ୍ତି । ୧୨ ଜାନୁଆରୀ ୨୦୨୬ରେ ଏହା ପାଇଁ ପେଟେଣ୍ଟ ଆବେଦନ କରାଯାଇଥିଲା । ନୂଆ ସିଷ୍ଟମ୍‌ରେ ଗୋଟିଏ କନଭର୍ଟର, ଇଣ୍ଡକ୍ଟର ଓ କଣ୍ଟ୍ରୋଲ୍ ସିଷ୍ଟମ୍ ରହିଛି । ଏହା ହଠାତ୍ କରେଣ୍ଟ୍ ସ୍ପାଇକ୍‌କୁ ନିୟନ୍ତ୍ରଣ କରିବା ସହ ଗାଡ଼ିର ପାୱାର ସପ୍ଲାଏକୁ ଅଧିକ ସ୍ଥିର ରଖିବ । ପରୀକ୍ଷଣ ସମୟରେ ହଠାତ୍ ବ୍ରେକ୍ ଓ ଦ୍ରୁତ ଆକ୍ସିଲେରେସନ୍‌ରେ ମଧ୍ୟ ସିଷ୍ଟମ୍ ୪୮ ଭୋଲ୍ଟର ସ୍ଥିରତା ବଜାୟ ରଖିଥିବା ଜଣାପଡ଼ିଛି । ୨୪ରୁ ୬୦ ଭୋଲ୍ଟ ଲୋ-ଭୋଲ୍ଟେଜ୍ ଇଲେକ୍ଟ୍ରିକ୍ ଯାନ, ଯେପରିକି ଇ-ସ୍କୁଟର, ଇ-ବାଇକ୍, ଇ-ରିକ୍ସା, କାର୍ଗୋ ଟ୍ରାଇସାଇକେଲ୍ ସହ ବିଭିନ୍ନ ଶିଳ୍ପ ଓ ସୌର ଶକ୍ତି ବ୍ୟବସ୍ଥାରେ ମଧ୍ୟ ଏହି ପ୍ରଯୁକ୍ତିର ବ୍ୟବହାର ସମ୍ଭାବନା ରହିଛି । ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ୁଥିବା ସମୟରେ ଏନ୍‌ଆଇଟି ରାଉରକେଲାର ଏହି ଆବିଷ୍କାର ବ୍ୟାଟେରୀର ଆୟୁ, ଦକ୍ଷତା ଓ ନିର୍ଭରଯୋଗ୍ୟତା ବଢ଼ାଇବାରେ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.