jayashree

ପୁରସ୍କୃତ ହେବା ପରେ ବଲାଙ୍ଗିର ପୌର ପରିଷଦକୁ ସହରବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜର ଉଲ୍ଲେଖନୀୟ ଟିକସ ଆଦାୟ, କାର୍ଯ୍ୟଦକ୍ଷତା, ସହରର ସାମଗ୍ରିକ ବିକାଶ, ପରିମଳ ବ୍ୟବସ୍ଥା ଓ ଜନସେବା କ୍ଷେତ୍ରରେ ସଫଳତା ପାଇଁ ବଲାଙ୍ଗିର ପୌର ପରିଷଦ ପୁରସ୍କୃତ ହେବା ପରେ ସମଗ୍ର ସହରରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । ଏହି ଗୌରବମୟ ସଫଳତାକୁ ସହରବାସୀ ନିଜର ସଫଳତା ଭାବେ ଗ୍ରହଣ କରି ବଲାଙ୍ଗିର ପୌର ପରିଷଦକୁ ଏକ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ସହରର ବିଭିନ୍ନ ବୁଦ୍ଧିଜୀବୀ, ସାମାଜିକ ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବର୍ଗର ସହରବାସୀ ଏକାଠି ହୋଇ ଏହି ସଫଳତାକୁ ଉତ୍ସବର ରୂପ ଦେଇଥିଲେ । ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରରୁ ମା’ ସମଲେଇ ମନ୍ଦିର ଦେଇ ବଲାଙ୍ଗିର ପୌର ପରିଷଦର ରାଜେନ୍ଦ୍ର ପାର୍କ ପର୍ଯ୍ୟନ୍ତ ଏକ ଭବ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ପରିଷଦ ସମସ୍ତ ସଦସ୍ୟ ସଦସ୍ୟା ଓ ସହର ବହୁ ସଂଖ୍ୟକ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇ ବଲାଙ୍ଗିର ସହରର ଏହି ଗୌରବମୟ ସଫଳତାକୁ ଉତ୍ସାହର ସହ ପାଳନ କରିଥିଲେ । ପଦଯାତ୍ରା ପରେ ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇଥିଲେ ଓ ପରିଷଦ ଅଧ୍ୟକ୍ଷା, ଉପ ନଗରପାଳ, ସମସ୍ତ ସଦସ୍ୟ ଓ ସଦସ୍ୟା ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଉପସ୍ଥିତ ସମସ୍ତ ଅତିଥି, ସହରବାସୀ ଓ ବିଭିନ୍ନ ସଂଗଠନର ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ମୁଖ୍ୟ ଅତିଥି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ନିଜର ଅଭିଭାଷଣରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କହିଥିଲେ ଯେ, ବଲାଙ୍ଗିର ପୌର ପରିଷଦକୁ ମିଳିଥିବା ଏହି ସମ୍ମାନ ଓ ପୁରସ୍କାର କେବଳ ପୌର ପରିଷଦର ନୁହେଁ, ବରଂ ସମଗ୍ର ବଲାଙ୍ଗିର ସହରବାସୀଙ୍କର । ସହରବାସୀଙ୍କ ଭଲପାଇବା, ସହଯୋଗ ଓ ସମର୍ଥନ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ମଧ୍ୟ ସହରବାସୀଙ୍କ ସହଯୋଗରେ ବଲାଙ୍ଗିରକୁ ଆହୁରି ସ୍ୱଚ୍ଛ, ସୁନ୍ଦର ଓ ବିକଶିତ ସହରରେ ପରିଣତ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟ ଅତିଥି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିଜର ଅଭିଭାଷଣରେ ବଲାଙ୍ଗିର ସହରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସହରର ବିକାଶ ଯେପରି ସୁଚାରୁ ଓ ଦ୍ରୁତଗତିରେ ଆଗେଇ ଚାଲିଛି, ତାହାକୁ ଆହୁରି ସୁଦୃଢ଼ କରିବା ପାଇଁ ସହରବାସୀଙ୍କୁ ସହଯୋଗର ହାତ ବଢ଼ାଇବାକୁ ସେ ଅନୁରୋଧ କରିଥିଲେ । ବିକାଶର ଏହି ଗତିକୁ ଦେଖି କିଛି ଲୋକ ଅସନ୍ତୁଷ୍ଟ ହେଉଥିବା ସତ୍ତ୍ୱେ, ସହରର ସ୍ୱାର୍ଥ ଓ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ଭବ୍ୟ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ସଦସ୍ୟ ଶମ୍ଭୁ ନାଗ ସଭା ପରିଚାଳନା କରିଥିଲେ । ବଲାଙ୍ଗିର ପୌର ପରିଷଦର ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆହୁରି ସଫଳ ଓ ଆକର୍ଷଣୀୟ କରିଥିଲେ । ବଲାଙ୍ଗିର ପୌର ପରିଷଦର ଏହି ସଫଳତା କେବଳ ଏକ ପୁରସ୍କାର ନୁହେଁ, ବରଂ ସହରବାସୀଙ୍କ ଆଶା, ବିଶ୍ୱାସ ଓ ସାମୂହିକ ସହଯୋଗର ପ୍ରତୀକ । ଏହି ଭବ୍ୟ ସମ୍ବର୍ଦ୍ଧନା ମାଧ୍ୟମରେ ସହରବାସୀ ବଲାଙ୍ଗିରର ବିକାଶ ଯାତ୍ରା ପ୍ରତି ନିଜର ଭଲପାଇବା ଓ ସମର୍ଥନକୁ ପୁଣିଥରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.