
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରରେ ବୁଧବାର ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ଛତ୍ରପୁର ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତଥା ଛତ୍ରପୁର କାଉନସିଲର ସଦସ୍ୟ ସଦସ୍ୟାଗଣ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଭାବଶାଳୀ ବ୍ୟକ୍ତି ଅବା ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଗୋଷ୍ଠୀର ଲୋକ ବୋଲି କୁହାଯାଏ । ଏଭଳି ବହୁ ବିଜେଡ଼ିର ଅସନ୍ତୁଷ୍ଟ ଗୋଷ୍ଠୀର ଲୋକ ବ୍ୟକ୍ତିବିଶେଷ୍ୟଗଣ ମଧ୍ୟ ଭାଜପାରେ ଯୋଗଦେଇ ପଦ୍ମ ଧରିଛନ୍ତି । ରାଜ୍ୟ ସରକାରଙ୍କ କ୍ଷମତାରେ ଥିବା ବହୁ ବରେଣ୍ୟ କର୍ଣ୍ଣଧାର ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ମିଶ୍ରଣ ପର୍ବରେ ଛତ୍ରପୁରର ଆଇନଜୀବୀ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ ପାଢ଼ୀ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଦଳୀୟ ମୁଖପାତ୍ରଙ୍କ ନିୟମ ଧାରା ଅନୁସାରେ ନୂତନ ଭାବେ ଯୋଗଦେଇ ପଦ୍ମଧାରୀ ନେତା ଓ କର୍ମୀମାନେ ଦଳୀୟ ଶପଥ ପାଠ କରିଥିଲେ । ଛତ୍ରପୁରର ସମସ୍ତ ନେତ୍ତୃବର୍ଗ ସଭିଏଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତ୍ତୃତ୍ଵରେ ଶତାଧିକ ନେତା ଓ କର୍ମୀ ଉକ୍ତ ମିଶ୍ରଣ ପର୍ବରେ ଯୋଗଦେଇଥିଲେ । ଛତ୍ରପୁରର ଭାରପ୍ରାପ୍ତ ପୌର ଅଧ୍ୟକ୍ଷ ଜି. ପାପା ରାଓ ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ । ଛତ୍ରପୁର ଅଞ୍ଚଳରେ ବିଜେପି ଦଳକୁ ମଜବୁତ୍ କରିବା ସାଂଗକୁ ଆଗାମୀ ନିର୍ବାଚନରେ ବିଜେପିର ବିପୁଳ ବିଜୟ ହାସଲ ଦିଗରେ କାମ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।