
- ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର
- ଗାଁରେ ଅନ୍ତିମ ସଂସ୍କାର ସମ୍ପନ୍ନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଲକି ପଞ୍ଚାୟତ ସଦର ଗ୍ରାମରୁ ସୋମବାର ଜଣେ ବିବାହିତା ମହିଳାଙ୍କ ମୃତଦେହ ତାଙ୍କ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ ମହିଳା ଜଣକ ସେହି ଗାଁର ନିଲିଫ ମଲ୍ଲିକଙ୍କ ପତ୍ନୀ ପଦ୍ମିନୀ ମଲ୍ଲିକ ବୋଲି ଜଣାପଡ଼ିଛି । ସୋମବାର ଅପରାହ୍ନରେ ମୃତ ପଦ୍ମିନୀ ଘରେ ଏକାଥିବା ବେଳେ ତାଙ୍କ ସ୍ୱାମୀ ଛେଳି ଚରାଇବାକୁ ଯାଇଥିଲେ । ସ୍ଵାମୀ ନିଲିଫଙ୍କ ସମ୍ପର୍କୀୟ ଭଉଣୀ ଘରେ ପଦ୍ମିନୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାରିବାରିକ କଳହରୁ ମୃତ ପଦ୍ମିନୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ବଞ୍ଚିଥିବେ ଭାବି ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ଅଧିକ ସନ୍ଦେହ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ସ୍ଵାମୀ ନିଲିଫ୍ ବେଲପଡ଼ା ଥାନା ସୁଲେକେଲା ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମର ପଦ୍ମିନୀଙ୍କୁ ୪ବର୍ଷ ତଳେ ବିବାହ କରିଥିଲେ । ମୃତ ପଦ୍ମିନୀଙ୍କର ଦୁଇଟି ଛୋଟ ସନ୍ତାନ ଥିବାବେଳେ ବିବାହର ୪ ବର୍ଷ ମଧ୍ୟରେ ଏଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ଦୁଇ ସନ୍ତାନ ମା’ ସ୍ନେହରୁ ବଞ୍ଚିତ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ସ୍ୱାମୀ ନିଲିଫ ମଲ୍ଲିକ ସେ ଘରେ ନଥିବା ବେଳେ ଏହି ଘଟଣା ଘଟିଛି, ସେ ମୃତ୍ୟୁର ପ୍ରକୃତ କାରଣ ବାବଦରେ କିଛି ଜାଣିନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ମୁରିବାହାଲ ଥାନା ପୁଲିସ କଣ୍ଟାବାଞ୍ଜି ମେଡିକାଲ୍ ପହଞ୍ଚି ଶବ ଜବତ କରିବା ସହ ଗାଁକୁ ମଧ୍ୟ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେଶ ନଂ ୦୯/୨୬ ରୁଜ୍ଜୁ ହେବା ସହ ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଶୋକାକୁଳ ପରିବେଶରେ ଗାଁରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।