
କେସିଙ୍ଗା, (ପ୍ରୀତେଶ ପଟେଲ) : ଶିକ୍ଷା କେବଳ ପାଠ୍ୟପୁସ୍ତକ ପଢ଼ି ପରୀକ୍ଷାରେ ଭଲ ନମ୍ବର ରଖିବାର ମାଧ୍ୟମ ନୁହେଁ । ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜଣେ ଶିଶୁର ଜ୍ଞାନ, ଚିନ୍ତନଶକ୍ତି, ସୃଜନଶୀଳତା, ନୈତିକତା, ଦକ୍ଷତା ଓ ବ୍ୟକ୍ତିତ୍ୱର ସମଗ୍ର ବିକାଶ କରିବା । ଭାରତ ସରକାରଙ୍କ ପ୍ରଣୀତ ଜାତୀୟ ଶିକ୍ଷା ନୀତି–୨୦୨୦ର ଆନନ୍ଦମୟ, ଅନୁଭବଭିତ୍ତିକ, କାର୍ଯ୍ୟଭିତ୍ତିକ, ଦକ୍ଷତାମୂଳକ ଓ ଛାତ୍ର କୈନ୍ଦ୍ରିକ କରିବା ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ଶିକ୍ଷା ବର୍ଷ -୨୦୨୬-୨୭ର ‘ପ୍ରଥମ ନୋ ବ୍ୟାଗ୍ ଡେ:- ବହି ବସ୍ତାନି ବିହୀନ ଦିବସ’ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରୀମାନେ ସାଧାରଣ ଦିନ ଭଳି ପାଠ୍ୟପୁସ୍ତକ ଓ ଖାତା ନେଇ ବିଦ୍ୟାଳୟକୁ ଆସିବା ପରିବର୍ତ୍ତେ ବିଭିନ୍ନ କ୍ରୀଡ଼ା, କଳା, ସଙ୍ଗୀତ, ହସ୍ତଶିଳ୍ପ, ବଗିଚା କାମ, ଦକ୍ଷତାମୂଳକ କାର୍ଯ୍ୟ, ସ୍ଥାନୀୟ କାରିଗରଙ୍କ ସହ ଶିକ୍ଷା ଓ ଅନୁଭବଭିତ୍ତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, କେସିଙ୍ଗା ଆନନ୍ଦ କୁମାର ବେହେରା, ମୁଖ୍ୟ ଅତିଥି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, କେସିଙ୍ଗା ସମ୍ପତ୍ତି ଛୁରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଅବସରରେ ଦଶ ଗୋଟି ଶିକ୍ଷଣୀୟ କୋଣ ମାନଙ୍କର ଉଦ୍ଘାଟନ କରିବା ସହ ଛାତ୍ରୀମାନଙ୍କ ସହ ପାରସ୍ପରିକ ଭାବ ବିନିମୟ କରିଥିଲେ । ଏହା ସହିତ ବିଭିନ୍ନ ବିଭାଗର ସଫଳତା ହାସଲ କରିଥିବା ସ୍ଥାନୀୟ ଶିକ୍ଷକ, ଶିକ୍ଷୟିତ୍ରୀ, ଶିଳ୍ପୀ, କଳାକାର, ବିଚାରପତି ଭାବେ ଯୋଗଦାନ କରିଥିଲେ ଏବଂ ବିଶ୍ଲେଷଣାତ୍ମକ ପ୍ରକ୍ରିୟାରେ ଛାତ୍ରୀମାନଙ୍କୁ ଆକଳନ କରି ପ୍ରତିପୃଷ୍ଟି ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପୌରହିତ୍ୟରେ ଆୟୋଜିତ ସମାପନ ସମାରୋହରେ ସ୍ଥାନୀୟ କେସିଙ୍ଗା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ରିଡର୍ ରାଜେଶ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ‘ବହି ବସ୍ତାନି ବିହୀନ ଦିବସ’ର ପ୍ରାସଙ୍ଗିକତା ଏହାର ସୁଦୂର ସୃଜନଶୀଳ ପ୍ରଭାବ ସମ୍ପର୍କରେ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ପରିଶେଷରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ ନୃତ୍ୟ ପରିବେଷିତ ହୋଇଥିଲା । ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ ।