
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ମହାଟେଣ୍ଡର ଦୁର୍ନିତି ଅଭିଯୋଗ : ଭିଜିଲାନ୍ସ ତଦନ୍ତ ଦାବି ନେଇ ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଆଉଟସୋର୍ସିଂ କର୍ମଚାରୀ ନିଯୁକ୍ତି ଓ ହଷ୍ଟେଲ ମେସ୍ ପାଇଁ ଖାଦ୍ୟ ଯୋଗାଣକୁ ନେଇ ଗୁରୁତର ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛିି ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ । ଯୁବ କଂଗ୍ରେସର ଅଭିଯୋଗ ଅନୁଯାୟୀ ଗତ ଏପ୍ରିଲ ୧୦ ତାରିଖରେ ନୂତନ ନିୟମିତ କୁଳପତି ବିଭୁତି ମଲ୍ଲିକ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱ ବିଦ୍ୟାଳୟର ନିୟମିତ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହୋଇଛି । ଅଣଶିକ୍ଷକ କର୍ମଚାରୀଙ୍କ ଅଭାବ ଥିବା ସତ୍ୱେ ପୂର୍ବରୁ ଠିକା କର୍ମଚାରୀଙ୍କ ସହାୟତାରେ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲୁଥିଲା ବୋଲି ସଂଗଠନ କହିଛି । ତେବେ ନୂତନ ଆଉଟସୋର୍ସିଂ ସଂସ୍ଥା ନିୟୋଜନକୁ ନେଇ ପ୍ରଶ୍ନ ଉଠାଇଛି ଯୁବ କଂଗ୍ରେସ । ସଂଗଠନର ଦାବି ଆରଏନ୍ସି ସିକ୍ୟୁରିଟି ସାର୍ଭିସ ଟେଣ୍ଡର ପ୍ରକ୍ରିୟା ବିନା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟାଦେଶ ଦିଆଯାଇଥିବା ନେଇ ଆରଟିଆଇ ମାଧ୍ୟମରେ ମିଳିଥିବା ଦଲିଲରେ ତଥ୍ୟ ରହିଛି । ଏହି ନିଷ୍ପତ୍ତିରେ ସରକାରୀ ନିୟମ ପାଳନ ହୋଇଛି କି ନାହିଁ ଏବଂ ଏଥିରେ କୌଣସି ଆର୍ଥିକ ଅନିୟମିତତା ହୋଇଛି କି ନାହିଁ ତାହା ଭିଜିଲାନ୍ସ ତଦନ୍ତ ମାଧ୍ୟମରେ ସ୍ପଷ୍ଟ କରିବାକୁ ଦାବି କରାଯାଇଛି । ଅନ୍ୟ ପକ୍ଷରେ ଜୁନ ୧୬ ତାରିଖରେ ହଷ୍ଟେଲ ମେସ ପାଇଁ ୩ ମାସିଆ ଚୁକ୍ତିଭିତ୍ତିକ ଖାଦ୍ୟ ଯୋଗାଇବା ସମ୍ପର୍କରେ ଜାରି ନୋଟିସକୁ ନେଇ ମଧ୍ୟ ଅଭିଯୋଗ ଉଠିଛି । ଯୁବ କଂଗ୍ରେସ ଅନୁଯାୟୀ ଜଣେ ଯୋଗାଣକାରୀ ପ୍ରତି ମିଲ ୩୦ ଟଙ୍କା ଦର ଦେଇଥିଲେ । ପରବର୍ତ୍ତୀ ସମମୟରେ ଅନ୍ୟପକ୍ଷରୁ ପ୍ରତି ମିଲ ୩୩ ଟଙ୍କା ଦରରେ କାର୍ଯ୍ୟାଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ପ୍ରକ୍ରିୟାରେ ଟେଣ୍ଡର ଓ ଆର୍ଥିକ ନିୟମ ପାଳନ ହୋଇଛି କି ନାହିଁ ତାହାର ତଦନ୍ତ ଦାବି କରିଛି । ଏହି ସମସ୍ତ ଅଭିଯୋଗର ସାତ ଦିନ ମଧ୍ୟରେ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଆବଶ୍ୟକ ହେଲେ ଭିଜିଲାନ୍ସ ତଦନ୍ତ କରାଯାଉ, ଦୋଷୀ ପ୍ରମାଣିତ ହେଲେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ଓ ଚାକିରି ହରାଇଥିବା ଠିକା କର୍ମଚାରୀଙ୍କ ସ୍ୱାର୍ଥର ସୁରକ୍ଷା କରାଯାଉ ବୋଲି ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ଦାବି କରିଛି । ନଚେତ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ । ଯୁବ କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରା, ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର ନୀତିସ ପ୍ରଧାନ, ଲଖନ ସାହୁ, ପଂଚାନନ ଷାଣ୍ଢ, ଶଶାଙ୍କ ମେହେର ପ୍ରମୁଖ ମଂଚାସୀନ ଥିଲେ ।