jayashree

ଗୌରଗୋଠ ଏମ୍‌ବିକେଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତା

  • ନରସିଂହଙ୍କୁ ଭେଟି ଅଭିଯୋଗ କଲେ ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌରଗୋଠ ପଂଚାୟତ ଅଂଚଳରେ କାମ କରୁଥିବା ମହିଳା ଏସ୍‌ଏଚ୍‌ଜି ମା’ ମାନଙ୍କର ମହାସଂଘ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଆବାସିକ କାର୍ଯ୍ୟାଳୟକୁ ଆସି ସେଠାରେ କାମ କରୁଥିବା ଏମ୍‌ବିକେ ଅନୁମିତା ପ୍ରଧାନଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତାକୁ ନେଇ ସଂଗୀନ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ସଂପୃକ୍ତ ଏମ୍‌ବିକେ ବିନା ରେଜୁଲେସନରେ କାର୍ଯ୍ୟକାରୀ ସଭ୍ୟମାନଙ୍କର ବୈଠକ ଖାତାରେ ଦସ୍ତଖତ ନେଉଛନ୍ତି । ଏଥିରେ ଯଦି କୌଣସି ସଭ୍ୟ ବିରୋଧ କରନ୍ତି ତେବେ ଅସଭ୍ୟ ଭାଷା ପ୍ରୟୋଗ କରୁଥିବା ଅଭିଯୋଗ କରୁଛନ୍ତି । ଏସ୍‌ଏଚ୍‌ଜି ମାନଙ୍କର ମାସିକ ସଂଚୟ ଖାତାରେ ଟଙ୍କା ଜମା ନ କରି ସେହି ଅର୍ଥକୁ ଏମ୍‌ବିକେ ନିଜେ ଆତ୍ମସାତ କରୁଥିବାର ଅଭିଯୋଗ ମହାସଂଘର ମା’ମାନେ କରିଛନ୍ତି । ଏପରି କି ଗୌରଗୋଠ ଜିପିଏଲ୍‌ଏଫ୍‌ରୁ ଋଣ ନେଇ ଏସ୍‌ଏଚ୍‌ଜି ମା’ମାନେ ପରିଶୋଧ କରିସାରିଥିଲେ ହେଁ ପୁଣି ତାଙ୍କ ଖାତାମାନଙ୍କରେ ଋଣ ଅଛି ବୋଲି ଦର୍ଶାଯାଉଛି । ଏପରି ଭାବେ ମା’ ଦୁର୍ଗା ଏସ୍‌ଏଚ୍‌ଜି ନାମରେ ୮୫ ହଜାର ଟଙ୍କା, ମା’ ଘଣ୍ଟେଶ୍ୱରୀ ନାମରେ ୨୫ ହଜାର ଟଙ୍କା, ସୀତାଦେବୀ ଏସ୍‌ଏଚ୍‌ଜି ନାଁରେ ୧୯ ହଜାର ଟଙ୍କା, ମା’ ମଙ୍ଗଳା ଏସ୍‌ଏଚ୍‌ଜି ନାଁରେ ୩୦ ହଜାର ଟଙ୍କା, ସରସ୍ୱତୀ ଏସ୍‌ଏଚ୍‌ଜି ନାଁରେ ୫୦ ହଜାର ଟଙ୍କା, ଶ୍ରୀ ଗଣେଷ ନାଁରେ ୩୬ ହଜାର ଟଙ୍କା ଋଣ ସେ ନିଜେ ଉଠେଇ ନେଇଛନ୍ତି । ସବୁଠାରୁ ସଂଗୀନ ଅଭିଯୋଗ ହେଲା ଏହିପରି ଭାବରେ ସେ ୬୦ଟି ଏସ୍‌ଏଚ୍‌ଜିରୁ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗ ଆସିଛି । ମହାସଂଘ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ ପତ୍ରରେ ସାଇ କ୍ରିଷ୍ଣା ଗୌରଗୋଠ ନାମକ ଏକ ଏସ୍‌ଏଚ୍‌ଜିକୁ ୩ ଲକ୍ଷ ୫୦ ହଜାର ଟଙ୍କାର ଋଣ ଦିଆଯାଇଥିବା ସ୍ଥଳେ ଖାତାରେ ତାହା ୩୫ ଲକ୍ଷ ଟଙ୍କା ଋଣ ବୋଲି ଦର୍ଶାଯାଇଛି । ପୂର୍ବରୁ ମଧ୍ୟ ୨୦୧୯ ମସିହାରେ ଏମ୍‌ବିକେ ଅନିମିତା ପ୍ରଧାନ ନ୍ୟୁଟ୍ରେସନ ଗାର୍ଡେନ ନାଁରେ ୫୦ ହଜାର ଟଙ୍କା ଉଠାଇ ନେଇ ପରବର୍ତ୍ତୀ ସମୟରେ ସେହି ଟଙ୍କା ସରକାର ପ୍ରଦାନ କରିଥିଲେ ହେଁ ମହାସଂଘକୁ ସେହି ଟଙ୍କା ଫେରସ୍ତ କରିନାହାନ୍ତି । ତେଣୁ ଏ ସମସ୍ତ ଅଭିଯୋଗ ସହ ଏହି ଏମ୍‌ବିକେକୁ ତୁରନ୍ତ ବରଖାସ୍ତ କରାଯାଉ ବୋଲିି ମହାସଂଘ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଆଗରେ ଦାବି ଜଣାଇଥିଲେ । ଏହାକୁ ନେଇ ଶ୍ରୀ ମିଶ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ସହ ଫୋନ ମାଧ୍ୟମରେ କଥା ହେବା ସହ ଯେହେତୁ ବ୍ଲକ ପ୍ରଶାସନ ଉପରେ ମହାସଂଘର ବିଶ୍ୱାସ ନାହିଁ ତେଣୁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ଏହା ଏକ ତଦନ୍ତ କରାଯାଉ ଏବଂ ତଦନ୍ତ ପରେ ଯଦି ଏମ୍‌ବିକେ ଦୋଷୀ ସାବ୍ୟସ୍ତ ହୁଅନ୍ତୁ ତେବେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଚିଠି ଲେଖିଛନ୍ତି । ଆଜି ଏହି ଅଭିଯୋଗ ଦାଖଲ ସମୟରେ ଗୌରଗୋଠ ପଂଚାୟତ ସ୍ତରୀୟ ମହାସଂଘର (ଜିପିଏଲ୍‌ଏଫ୍‌)ର ସଭାପତି ସସ୍ମିତା ରଣା, ସଂପାଦକ ସୁବର୍ଣ୍ଣ ସାହୁ, ସିଆର୍‌ପି ଡୋଲେଶ୍ୱରୀ ଷାଣ୍ଢ, ମାମୁନି ରଣା, ସୁଷମା ରଣା, ପଙ୍କଜିନି ସାହୁ, ବୃନ୍ଦାବତୀ ବାଗ, ପୂର୍ଣ୍ଣିମା ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ ସୁମିତ୍ରା ରଣା, ଯଶୋବନ୍ତି ଭୋଇ, ଗୀତା ବାଗ, ରେବତୀ ମଲ୍ଲିକ, ସୌଳେନ୍ଦ୍ରୀ ଦାଶ, ପ୍ରଫୁଲ୍ଲ ରଣା, ଝସନେତ୍ରୀ ବେରିଆ, ଜୟନ୍ତୀ ରଣା, ମମତା ରଣା, ଲିସା ସାହୁ, କୁମୁଦିନୀ ରଣା ଓ ବନବାସୀ ରଣାଙ୍କ ସମେତ ଅନେକ ଏସ୍‌ଏଚ୍‌ଜି ମା’ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.