
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱେଚ୍ଛାସେବୀ ଶିକ୍ଷକ ଏବଂ ସର୍ବେକ୍ଷଣକାରୀ ଉପସ୍ଥିତ ଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ବ୍ଲକ ନବ ଭାରତ ଶିକ୍ଷା କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ ଏହି କାର୍ଯ୍ୟକ୍ରମର ରୂପରେଖ ବର୍ଣ୍ଣନା କରିଥିଲେ । ସାଧନ କର୍ମୀ ଭାବରେ ଅଶୋକ କୁମାର ସାହୁ, ନକୁଳ ମାଝୀ , ଭୀଷ୍ମ ସେଠ୍ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ଶିକ୍ଷାର୍ଥମାନଙ୍କୁ କିପରି ପଞ୍ଜୀକରଣ କରାଯିବ, ତାଙ୍କର ଶିକ୍ଷଣ ପ୍ରକ୍ରିୟା କିପରି କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଆଗାମୀ ସେପ୍ଟେମ୍ବର ୨୦ରେ ଅନୁଷ୍ଠିତ ହେବାକୁ ଥିବା ଉଲ୍ଲାସ ପରୀକ୍ଷାକୁ ସୁଚାରୁ ରୂପରେ ସମ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁମୋହନ ପଧାନ ଧନ୍ୟବାଦ୍ ଦେଇଥିଲେ ।