jayashree

ଭବାନୀପାଟଣାରେ ଶୀତଳ ଭଣ୍ଡାର ଉଦ୍‌ଘାଟିତ : ଉପକୃତ ହେବେ କ୍ଷୁଦ୍ର ପନିପରିବା ବ୍ୟବସାୟୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ନିର୍ମିତ ନୂତନ ଶୀତଳ ଭଣ୍ଡାରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ​ଭବାନୀପାଟଣା ସହରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ କ୍ଷୁଦ୍ର ପନିପରିବା ବ୍ୟବସାୟୀ ବ୍ୟବସାୟ କରିବାକୁ ଆସିଥାନ୍ତି । ଦିନସାରା ବ୍ୟବସାୟ ପରେ ସନ୍ଧ୍ୟାରେ ବିକ୍ରି ନହୋଇ ବଳିପଡ଼ୁଥିବା ପନିପରିବା ରଖିବା ପାଇଁ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ବ୍ୟବସାୟୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅନେକ ସମୟରେ ପନିପରିବା ନଷ୍ଟ ହୋଇଯିବା ଯୋଗୁଁ ଫିଙ୍ଗିବାକୁ ପଡ଼ୁଥିଲା କିମ୍ବା ବାଧ୍ୟ ହୋଇ ଘରକୁ ଫେରାଇ ନେବାକୁ ପଡ଼ୁଥିଲା । କ୍ଷୁଦ୍ର ବ୍ୟବସାୟୀଙ୍କ ଏହି ଦୀର୍ଘଦିନର ସମସ୍ୟାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏଠାରେ ବ୍ୟବସାୟୀମାନେ କ୍ୱିଣ୍ଟାଲ ପ୍ରତି ୨୦ ଟଙ୍କା ଦେଇ ନିଜ ପନିପରିବା ସୁରକ୍ଷିତ ଭାବେ ସଂରକ୍ଷଣ କରିପାରିବେ ଏବଂ ଆର୍ଥିକ କ୍ଷତିରୁ ରକ୍ଷା ପାଇବେ ବୋଲି ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ ଏବଂ ନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ ପ୍ରକାଶ କରିଛନ୍ତି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୌରପାଳିକାର ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ବହୁ ସଂଖ୍ୟାରେ ବ୍ୟବସାୟୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.