
- ୭୩ ଜଣଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଁଏ ମୃତ୍ୟୁକାଳୀନ ସହାୟତା ପ୍ରଦାନ ନିଷ୍ପତ୍ତି, ତୋଳାଳି ମାନଙ୍କ ବୋନସ ପହଞ୍ଚିଲା
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ପରିସରରେ ଡିଏଫଓ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ୱେଲଫେୟାର୍ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଡିଭିଜନରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ମୃତ୍ୟୁକାଳୀନ ସହାୟତା ଯୋଗାଇ ଦେବାକୁ ୬୨ ଜଣ କେନ୍ଦୁପତ୍ର ତୋଳାଳି, ୭ ଜଣ ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ପ୍ରତି ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଦେବା ପାଇଁ ପ୍ରସ୍ତାବ ନିଆଯାଇଛି । ଏତଦ୍ ବ୍ୟତୀତ ଓଡ଼ିଶାରେ କେନ୍ଦୁପତ୍ର ତୋଳାଳିମାନଙ୍କୁ ରାଜ୍ୟ ସରକାର ୬୪ କୋଟି ଟଙ୍କା ବୋନସ ପ୍ରଦାନ କରିଥିବାରୁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳିମାନେ ବୋନସ ବାବଦକୁ ୧ କୋଟି ୪୦ ଲକ୍ଷ ଟଙ୍କା ପାଇଥିବା କଥା ଡିଏଫ୍ଓ ସୂଚନା ଦେଇଥିଲେ । ସମସ୍ତ ସରକାରୀ କର୍ମଚାରୀ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ୟମରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ରର ଗୋଟିଏ ଲଟ୍ କୁଇଣ୍ଟାଲ ପ୍ରତି ୫୨ ହଜାର ୬୫୫ ଟଙ୍କାରେ ବିକ୍ରି ହୋଇଥିବାରୁ ଓ ଏହା ଓଡ଼ିଶାର ସର୍ବାଧିକ ଟଙ୍କା ହୋଇଥିବାରୁ ଡିଏଫ୍ଓ ଶ୍ରୀ ବେହେରା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ୱେଲଫେୟାର୍ ବୋର୍ଡ ବୈଠକରେ ଶ୍ରମିକ ନେତା ତଥା ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ କମିଟି ସଦସ୍ୟମାନଙ୍କ ମଧ୍ୟରେ ଏସିଏଫ ଶ୍ରୀ ଆତ୍ମରାମ ମହାନନ୍ଦ, ଏଡିଡବ୍ଲୁ ସଞ୍ଜିୟ ଲେଙ୍କା, କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ ସଂପାଦକ କୋକିଳ ସାହୁ ଉପସ୍ଥିତ ଥିଲେ ।