
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ସାଇତି ରଖିବା ପାଇଁ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି । ଏହି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ବୌଦ୍ଧରେ ନିର୍ମିତ ଆକର୍ଷଣୀୟ ସଂଗ୍ରହାଳୟର ନିର୍ମାଣ, ଡିଜାଇନ୍ ଓ ପରିଚାଳନା ସମ୍ପର୍କରେ ଟିମ୍ ସଦସ୍ୟମାନେ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଇତିହାସର ଅନେକ ଅମୂଲ୍ୟ ଅଧ୍ୟାୟକୁ ନିଜ ଭିତରେ ସାଇତି ରଖିଛି ସୁବର୍ଣ୍ଣପୁର । ଜିଲ୍ଲାର ପ୍ରାଚୀନ ପରମ୍ପରା, ଲୋକକଳା, ସଂସ୍କୃତି ଓ ଐତିହ୍ୟକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ଏକ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା କରିବା ନେଇ ପ୍ରଶାସନ ଆଗେଇ ଆସିଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସହ ଜିଲ୍ଲା ପ୍ରଶାସନର ଏକ ଟିମ୍ ବୌଦ୍ଧ ଜିଲ୍ଲାରେ ଥିବା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ବୌଦ୍ଧ ସଂଗ୍ରହାଳୟରେ ରହିଥିବା ବିଭିନ୍ନ ଐତିହାସିକ ସାମଗ୍ରୀ, ସଂରକ୍ଷଣ ବ୍ୟବସ୍ଥା ଓ ଡିଜାଇନ୍ ସମ୍ପର୍କରେ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ ଡ. ସାହୁ କହିଛନ୍ତି, ସୁବର୍ଣ୍ଣପୁର ହେଉଛି ଏକ ଐତିହ୍ୟସମ୍ପନ୍ନ ଭୂମି । ଏଠାରେ କଳା, ସଂସ୍କୃତି ଓ ପରମ୍ପରାର ଅନେକ ଅମୂଲ୍ୟ ସାମଗ୍ରୀ ରହିଛି । ଏସବୁକୁ ସୁରକ୍ଷିତ ଭାବେ ସଂରକ୍ଷଣ କରିବା ସହ ଯୁବପିଢ଼ିଙ୍କୁ ନିଜ ଇତିହାସ ଓ ଐତିହ୍ୟ ସହ ପରିଚିତ କରାଇବା ଏହି ସଂଗ୍ରହାଳୟର ମୁଖ୍ୟ ଉଦ୍ଦେଶ୍ୟ ରହିବ । ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ ପରେ ସୁବର୍ଣ୍ଣପୁରରେ ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ହୋଇଛି । ଆଗାମୀ ବର୍ଷରେ ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ବୌଦ୍ଧର ସଂଗ୍ରହାଳୟ ପ୍ରତିଷ୍ଠା ପଛରେ ପ୍ରାକ୍ତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉଦ୍ୟମ ସହ ତତ୍କାଳୀନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ପ୍ରୟାସ ଏବଂ ଆର୍କିଟେକ୍ଟ ଡ. ସୁମନ ଷଡ଼ଙ୍ଗୀଙ୍କ ଡିଜାଇନ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବୌଦ୍ଧରେ ଏଭଳି ଏକ ଆକର୍ଷଣୀୟ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଥିବାରୁ ପରିଦର୍ଶନ ସମୟରେ ବିଭିନ୍ନ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଏହାର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଗସ୍ତରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ପରିଷଦ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନଙ୍କ ସମେତ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ବିନୟ ଭୋଇ, ଜିଲ୍ଲା ପରିଷଦ ଅଧିକାରୀ ପ୍ରଭାସ ଦଣ୍ଡସେନା, ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଆର୍କିଟେକ୍ଟ ଡ. ସୁମନ ଷଡ଼ଙ୍ଗୀ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ ବୌଦ୍ଧ ସଂଗ୍ରହାଳୟକୁ ମଡେଲ୍ ଭାବେ ନେଇ ସୁବର୍ଣ୍ଣପୁରରେ ଏକ ଅତ୍ୟାଧୁନିକ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଆଶା ବଢ଼ିଛି । ଏହା ହେଲେ ସୁବର୍ଣ୍ଣପୁରର ଇତିହାସ ଓ ସମୃଦ୍ଧ କଳା-ସଂସ୍କୃତିକୁ ସାଇତି ରଖିବା ସହ ଆଗାମୀ ପିଢ଼ି ପାଇଁ ଏହା ଏକ ମୂଲ୍ୟବାନ ଐତିହ୍ୟ କେନ୍ଦ୍ର ପାଲଟିବ ।