କଂଗ୍ରେସର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ସମଗ୍ର କନ୍ଧମାଳରେ ସଫଳ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ୟାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶାରେ ଆଜି କଂଗ୍ରେସ ବନ୍ଦ ପାଳନ କରିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଦିନ ଗୋଟାଏ ପର୍ୟ୍ୟନ୍ତ ଚାଲିଥିଲା । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୬ ଘଣ୍ଟିଆ ବନ୍ଦ ଡାକରା ସମଗ୍ର କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଏହାର ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ତଥା ନଗର କଂଗ୍ରେସ ତରଫରୁ ବିଭିନ୍ନ ଛକ ଗୁଡିକ ଅବୋରୋଧ କରି ରଖିଥିବା ବେଳେ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି କରିଥିବା ଦେଖିବାକୁ ମିଳିଛି । ବାଲିଗୁଡା ନଗର କଂଗ୍ରେସ ତରଫରୁ ସଭାପତି ସ୍ୱପ୍ନେଶ୍ୱର ସାହୁ, ମନୋଜ୍ କୁମାର ଆଚାର୍ୟ୍ୟ, ବରିଷ୍ଠ କଂଗ୍ରେସ ନେତା ବଳରାମ ଦୋରା, ଶିବରାମ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ । ବନ୍ଦ ପ୍ରଭାବରେ ବାଲିଗୁଡ଼ା ଅଞ୍ଚଳର ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କର୍ମୀମାନେ ସହରରେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଶେଷରେ ମାଦିକୁନ୍ଦା ଛକ ଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ଓ କେନ୍ଦ୍ର ସରକାର ହୁ ହୁ ହୋଇ ବଢାଇଥିବା ତୈଳ ଦରକୁ ବିରୋଧ କରି ନାରାବାଜି ମଧ୍ୟ କରିଥିଲେ । ସକାଳୁ ସକାଳୁ ଫୁଲବାଣୀ ସହରର ଦୋକାନ ବଜାର ବନ୍ଦ ସହ ଗାଡ଼ି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସେହିପରି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଉଦୟଗିରି, ବାଲିଗୁଡ଼ା, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ଭଳି ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି । ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.