ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍-୨୦୨୭’ ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇସାରିଛି । ଏହି ହ୍ୟାଣ୍ଡବୁକ୍ ମାଧ୍ୟମରେ ଗ୍ରାମ ଓ ସହରସ୍ତରର ସାମାଜିକ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ସୂଚନା ସଂଗ୍ରହ କରାଯାଇ ଜିଲ୍ଲାର ଭବିଷ୍ୟତ ଯୋଜନା, ପ୍ରଶାସନିକ ନିଷ୍ପତ୍ତି ଓ ଗବେଷଣା କାର୍ଯ୍ୟରେ ଉପଯୋଗ କରାଯିବ । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ସଫଳ ପ୍ରସ୍ତୁତି ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ୱି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ୩୧ ଡିସେମ୍ବର ୨୦୨୫କୁ ମୂଳ ରେଫେରେନ୍ସ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ୧୬ ଜୁଲାଇରୁ ୧୫ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କ୍ଷେତ୍ର ସ୍ତରରେ ତଥ୍ୟ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ୧୫ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସଂଗୃହିତ ତଥ୍ୟର ଯାଞ୍ଚ ଓ ବୈଧତା ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା ସୂଚନା ଦେବା ସହ ଜିଲ୍ଲାରେ କଣ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏଥର ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରଣାଳୀରେ ତଥ୍ୟ ସଂଗ୍ରହ କରାଯାଉଛି । ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଓ ୱେବ୍ ପୋର୍ଟାଲ୍ ବ୍ୟବହାର କରାଯିବା ସହ ୨୦୧୧ ଜନଗଣନା ତଥ୍ୟ ସହ ସ୍ୱୟଂଚାଳିତ ତୁଳନା ଓ ତ୍ରୁଟି ଚିହ୍ନଟର ସୁବିଧା ରହିଛି । ରାଜସ୍ୱ ବିଭାଗର ଅଧିକାରୀମାନେ ଚାର୍ଜ ଅଫିସରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଆଗାମୀ ତିନିଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଚାର୍ଜ ଅଫିସରମାନେ କ୍ଷେତ୍ରସ୍ତରୀୟ ରାଜସ୍ୱ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ର ପ୍ରଥମ ଭାଗରେ ଗ୍ରାମ ନିର୍ଦ୍ଦେଶିକା ଓ ସହର ନିର୍ଦ୍ଦେଶିକା ରହିବ, ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ, ଯୋଗାଯୋଗ, ପରିବହନ, ବ୍ୟାଙ୍କିଂ, ବିଦ୍ୟୁତ୍, ଜମି ବ୍ୟବହାର, କୃଷି, ନାଗରିକ ସୁବିଧା, ଶିଳ୍ପ ଓ ବାଣିଜ୍ୟ ସମ୍ବନ୍ଧୀୟ ବିସ୍ତୃତ ସୂଚନା ସ୍ଥାନ ପାଇବ । ଏହାର ଦ୍ୱିତୀୟ ଭାଗରେ ପ୍ରାଥମିକ ଜନଗଣନା ସାରାଂଶ ପ୍ରକାଶ ପାଇବ । ଏହି ନିର୍ଭୁଲ ତଥ୍ୟ ଭବିଷ୍ୟତରେ ଜିଲ୍ଲାର ମୌଳିକ ସୁବିଧାର ସୁଚାରୁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ ରୂପାୟନରେ ସହାୟକ ହେବ ।
