
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ପଞ୍ଚାୟତକୁ ଚାରି ଦିନ ତଳେ ଅର୍ଥାତ ୯ ତାରିଖ ଚଳିତ ଜୁଲାଇ ଓ ଅଗଷ୍ଟ ମାସର ସାଧାରଣ ବଣ୍ଟନ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ପାଇଁ ୨୨୪ କ୍ଵିଣ୍ଟାଲ ଚାଉଳ ଆସିଛି । ହେଲେ ଗତ ୧୦ ତାରିଖରୁ ରାଜ୍ୟ ଯୋଗାଣ ମହାସଂଘର ଆହ୍ୱାନ କ୍ରମେ ଯୋଗାଣ ସହାୟକ ଆନ୍ଦୋଳନରେ ଥିବାରୁ ଚାଉଳ ବଣ୍ଟନ ହୋଇପାରୁନାହିଁ । ଅନ୍ୟପକ୍ଷରେ ଚାଉଳ ଆସିବା ଜାଣି ଅର୍ଜୁନପୁର ପଞ୍ଚାୟତର ବହୁ ହିତାଧିକାରୀ ଚାଉଳ ନେବା ପାଇଁ ପଞ୍ଚାୟତକୁ ଆସିଥିଲେ, ହେଲେ କିଛି ସୂଚନା ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଯୋଗାଣ ସହାୟକଙ୍କ ଆନ୍ଦୋଳନ ଜାରି ରହିଥିବାରୁ ହିତାଧିକାରୀଙ୍କୁ କେବେ ଚାଉଳ ମିଳିବ ସେନେଇ କୌଣସି ସୂଚନା ମିଳୁନି । ସୂଚନା ଯୋଗ୍ୟ ଯେ, ଗତ ଜୁନ ୧୬ତାରିଖ ଦିନ ରାଜ୍ୟ ଯୋଗାଣ ସହାୟକ ସଂଘର ଆହ୍ୱାନ କ୍ରମେ ଯୋଗାଣ ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ୧୦ଜୁଲାଇ ସୁଦ୍ଧା ସମାଧାନ ନ ହେଲେ ୧୦ ତାରିଖରୁ ସାମୂହିକ ଛୁଟିରେ ଯିବା ସହ ଆବଶ୍ୟକ ପଡ଼ିଲେ ଗଣତାନ୍ତ୍ରିକ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଆସନ୍ତା ୧୪ ତାରିଖ ଠାରୁ ଲୋୟର ପିଏମ୍ଜି ଛକରେ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି ।

