
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକର ଗୁରୁଣ୍ଡା ଖେଳ ପଡ଼ିଆରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ମୁରିବାହାଲ ବ୍ଲକର ଜିଲ୍ଲା ପରିଷଦ ଜୋନ୍ ନମ୍ବର ୨୭, ୨୮ ଓ ୨୯ର ସକ୍ରିୟ ବିଜେଡି ସଦସ୍ୟ, ବିଏଲଏ ଏବଂ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ । ବୈଠକରେ ଏସ୍ଆଇଆର୍ ପ୍ରକ୍ରିୟା ଏବଂ ସୋସିଆଲ୍ ମିଡିଆର ଭୂମିକାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମେହେର ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବିଜେଡି ନେତ୍ରୀ ନିରୁପମା ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ହଂସରାଜ ଜୈନ, ଆଶାଦୁଲ୍ଲା ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଭୋଟର ତାଲିକାରୁ ୨୦ ହଜାରରୁ ଅଧିକ ନାମ ବାଦ ପଡ଼ିଥିବା ପ୍ରସଙ୍ଗକୁ ନେଇ ଗଭୀର ଆଲୋଚନା ହୋଇଥିଲା । ଏହାର ସଠିକ୍ ଯାଞ୍ଚ କରିବା ସହିତ ପ୍ରକୃତ ଭୋଟରମାନଙ୍କ ଅଧିକାର ସୁରକ୍ଷା ପାଇଁ ସଂଗଠନକୁ ସଜାଗ ରହିବାକୁ ନେତୃବୃନ୍ଦ ଆହ୍ୱାନ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା, ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରଖିବା ଏବଂ ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ବିଜୟ ପାଇଁ କାର୍ଯ୍ୟ କରିବାକୁ ଗିରିରାଜ ସିଂ ମାଝୀ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ମୁରିବାହାଲ ବ୍ଲକରେ ବିଜେଡିର ସଂଗଠନକୁ ଆହୁରି ମଜବୁତ କରି ଭବିଷ୍ୟତରେ ବ୍ଲକ ଅଧ୍ୟକ୍ଷ ପଦ ଦଖଲ କରିବା ଲକ୍ଷ୍ୟରେ କାମ କରିବାକୁ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ବିଜେଡି କର୍ମୀ ଓ ସମର୍ଥକ ଉପସ୍ଥିତ ରହି ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

