
ବଲାଙ୍ଗିର, (କେପିଏନ୍ଏସ୍) : ବିଏସ୍ ଏରୋବିକ୍ ଏଣ୍ଡ ଫିଟନେସ୍ ପକ୍ଷରୁ ଆୟୋଜିତ ଗ୍ରୀଷ୍ମ ଶିବିରର ସମାପନୀ ଉତ୍ସବ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶ ମଧ୍ୟରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରରେ ଅଂଶଗ୍ରହଣ କରିଥିବା ପ୍ରତିଭାବାନ ଶିଶୁ ଓ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଏବଂ ପଶ୍ଚିମ ଓଡ଼ିଶାର ସୁପରିଚିତ କ୍ୟାମେରାମ୍ୟାନ୍ ଗୋପାଳ ପ୍ରଧାନ ଓ ସ୍ୱାତୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଶିବିରର ସଫଳ ଆୟୋଜନକୁ ପ୍ରଶଂସା କରିଥିଲେ । ଶିବିରରେ ପ୍ରଶିକ୍ଷଣ ନେଇଥିବା ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଏସ୍ ଏରୋବିକ୍, ଫିଟନେସ୍ ଓ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଶାରୀରିକ ସୁସ୍ଥତା, ଆତ୍ମବିଶ୍ୱାସ ଏବଂ ଶୃଙ୍ଖଳାବଦ୍ଧ ଜୀବନଶୈଳୀ ଗଠନରେ ଏଭଳି ଶିବିରର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସମାପନୀ ଉତ୍ସବ ଶେଷରେ ଅଂଶ ଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି ସଫଳ ଆୟୋଜନ ପାଇଁ ଆୟୋଜକ ମଣ୍ଡଳୀଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଥିଲେ ।
