
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆମେରିକାର ୱାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ ପରେ ସୁବର୍ଣ୍ଣପୁରରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି । ଜିଲ୍ଲାର ପ୍ରତିଭା ସମ୍ପନ୍ନ ଯୁବତୀ ନିବେଦିତା ରଥଙ୍କୁ ଇତି ମଧ୍ୟରେ ମାତ୍ର ୩୧ ବର୍ଷ ବୟସରେ ହିଁ ତିନୋଟି ସମ୍ମାନଜନକ ଡକ୍ଟରେଟ ଉପାଧି ମିଳିଛି । ଯାହାକି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଏକ ଗୌରବମୟ ମୁହୂର୍ତ୍ତ । ସାମାଜିକ, ପ୍ରଶାସନିକ ଓ ଆନ୍ତର୍ଜାତିକ କ୍ଷେତ୍ରରେ ନିଜର ଅସାଧାରଣ କାର୍ଯ୍ୟଦକ୍ଷତା ପାଇଁ କ୍ରମାଗତ ଭାବରେ ସେ ଏକ ବଡ଼ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ମାତ୍ର ମାସକ ମଧ୍ୟରେ ରାଜ୍ୟସ୍ତରରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ନିଜର ବିଜୟ ଯାତ୍ରା ଜାରି ରଖି ସେ ଓଡ଼ିଶା ପାଇଁ ମଧ୍ୟ ଗୌରବ ଆଣିଛନ୍ତି । ନିକଟରେ ସେ ନୂଆଦିଲ୍ଲୀର ‘ହୋଲିଡେ ଇନ୍’ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆମେରିକାର ପ୍ରତିଷ୍ଠିତ ୱାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ତାଙ୍କୁ ସମ୍ମାନସୂଚକ ‘ଡକ୍ଟରେଟ୍’ ଉପାଧି ଏବଂ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ଯାହାକି ଏଭଳି ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ହାସଲ କରିବାରେ ସେ ଭାରତ ବର୍ଷରେ ପ୍ରଥମ ଓଡ଼ିଆ ଯୁବତୀ ହେବାର ଗୌରବ ଅର୍ଜନ କରିଛନ୍ତି । ସାମାଜିକ ଓ ପ୍ରଶାସନିକ ସେବା ସହିତ ନ୍ୟାୟିକ (ଲ) କ୍ଷେତ୍ରରେ ମଧ୍ୟ ନିବେଦିତାଙ୍କ ଅତୁଳନୀୟ ଅବଦାନ ଓ ସେବାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ସଫଳତା ପାଇବାପରେ ଆଜି ନିବେଦିତା ରଥ ନିଜ ଜନ୍ମ ମାଟିରେ ପାଦ ଦେଇପାରିଛନ୍ତି । ଗତକାଲି ସେ ପ୍ରଥମେ ତେଲେଣ୍ଡା ଗ୍ରାମରେ ପହଞ୍ଚି ମା’ ରାମଚଣ୍ଡୀଙ୍କୁ ଦର୍ଶନ କରିଥିଲେ । ସେ ନିଜନ୍ମମାଟି ହିକୁଡିରେ ପହଞ୍ଚିବା ପରେ ଜନସାଧାରଣ ଓ ମହିଳାମାନଙ୍କ ଏକ ବିରାଟ ପଟୁଆର ତାଙ୍କୁ ପାଛୋଟି ଆଣି ସ୍ଵାଗତ ଜଣାଇ ନାଗରିକ ସମ୍ବର୍ଦ୍ଧନା ଦେଇଥିଲେ । ସେ ଆଜି ମଧ୍ୟ ଅନ୍ୟୁନ ପାଞ୍ଚ ଶହ ମହିଳାଙ୍କୁ ତାଙ୍କ ମାତା ତଥା ଅବସର ପ୍ରାପ୍ତ ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ରଙ୍କ (୬୩) ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଛତା ବଣ୍ଟନ କରିଥିଲେ । ନିବେଦିତା ତାଙ୍କୁ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ତାଙ୍କର ସଫଳତାର ଶ୍ରେୟ ସମସ୍ତ ଜନସାଧାରଣଙ୍କୁ ଦେଇଥିବା ବେଳେ ସେ ସବୁ ସମୟରେ ଜନସାଧାରଣଙ୍କ ସାଙ୍ଗରେ ରହିବା ସହ ଜିଲ୍ଲାର ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ରହିବି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କର ମତ ରଖିଥିଲେ । ଡ. ନିବେଦିତାଙ୍କୁ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ଵରୀ ସେନା ତଥା ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଦେଇଛନ୍ତି ।
