
- “ଲେଖକଙ୍କ କଲମ ଚାଲିଲେ ଅନ୍ଧାର ବି ଆଲୋକିତ ହୋଇଥାଏ”
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ଲେଖକ ପରିଷଦ ଏବଂ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମା’ ଦ୍ୱାରସେନୀ ଓ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦର ସଭାପତି ଡଃ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ରାଜ ଖଡ଼ିଆଳର ଆଲୋଚକ ଲୋହିତାକ୍ଷ ଯୋଶୀ, ମୁଖ୍ୟବକ୍ତା ଭାବେ କଣ୍ଟାବାଞ୍ଜି କେଭି କଲେଜର ଅଧ୍ୟାପକ ଡଃ. ସଞ୍ଜୟ ମିଶ୍ର, ସମ୍ମାନୀୟ ଅତିଥି ଭାବେ ଟିଟିଲାଗଡ଼ ଉପସଭାପତି ଭିକାରୀ ଚରଣ ମିଶ୍ର, ଜିଲ୍ଲା ଲେଖକ ପରିଷଦର ସଭ୍ୟ କ୍ଷୀରୋଦ ଷଡଙ୍ଗୀ, ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଦିଲୀପ କୁମାର ପଶାୟତ, ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ସୁଶାନ୍ତ କୁମାର ବାଗ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମି ରଞ୍ଜନ ପୁଟେଲ, ବିଶିଷ୍ଟ ସଙ୍ଗୀତଜ୍ଞ ରେଣୁରଞ୍ଜନ ବାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲେଖକଙ୍କ କଲମ ଚାଲିଲେ ଅନ୍ଧାର ବି ଆଲୋକିତ ହୋଇଥାଏ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ମିନତୀ ରଥ ଓ ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ଜ୍ୟୋତି ପ୍ରକାଶ ଗଡତ୍ୟା ସଂଯୋଜନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଉପଦେଷ୍ଟା ନୀଳମଣି ସାହୁ, ନିର୍ମାଲ୍ୟ ସ୍ୱାଇଁ, ସୁରେଶ ଭୋଇ, ମିନତୀ ରଥ, ଶ୍ରୀପାଲ ପଣ୍ଡା, ମଧୁସୂଦନ ଦାସ ପ୍ରମୁଖଙ୍କ ନେତୃତ୍ୱରେ କବିତା ପାଠ ହୋଇଥିଲା । ଏଥିରେ ଜିଲ୍ଲା ସମେତ ନୂଆପଡା, କଳାହାଣ୍ଡି, ବରଗଡ଼, ସୋନପୁରର କବି କବିୟିତ୍ରୀମାନେ ସାମିଲ ହୋଇଥିଲେ ।
