
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଡିଏମ୍ ପୁରୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ବିବେକାନନ୍ଦ ସାହୁ, ଏସଡିପିଓ ପିପିଲି ଦେବାଶିଷ ମିଶ୍ର, ବିଡ଼ିଓ ସମୀର ବେହେରା, ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ରମାଦେବୀ ରାଉତରାୟ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଏଇଇ ସୁବ୍ରତ କୁମାର ବାରିକ, ଆଇଆଇସି ପୂର୍ଣ୍ଣ ଚନ୍ଦ୍ର ସେଠିଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୭୪ ଗୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୫୮ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୧୬ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୧୦ ଗୋଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା । ଡେଲାଙ୍ଗ ବ୍ଲକ କଂଗ୍ରେସ କମିଟି ତରଫରୁ ପିପିଲି-ଡେଲାଙ୍ଗ କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟଙ୍କ ନେତୃତ୍ୱରେ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ନିର୍ମଳ ପରିଡା, ପୂର୍ବତନ ସରପଞ୍ଚ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦ୍ୟୁମ୍ନ ପରିଡା, ବିଶ୍ୱରଞ୍ଜନ ବଳବନ୍ତରାୟ ପ୍ରମୁଖ ଡେଲାଙ୍ଗ ଅଂଚଳରେ ଥିବା ଦୀର୍ଘଦିନର ୧୧ଟି ସମସ୍ୟାକୁ ନେଇ ଜନଶୁଣାଣିର ଅଭିଯୋଗ କରିଥିଲେ । ସେହି ଅଭିଯୋଗ ମଧ୍ୟରେ ଡେଲାଙ୍ଗ ବ୍ଲକରେ ପାନୀୟ ଜଳ ଯୋଗାଣ ମେଗା ପ୍ରୋଜେକ୍ଟ ଅଧାପନ୍ତରିଆ ଓ ଅସମ୍ପୂର୍ଣ ହୋଇ ପଡିରହିଛି । ଏହାର ସଂମ୍ପୂର୍ଣ୍ଣ କରାଯାଇ ପାନୀୟଜଳ ଯୋଗାଣ ସମସ୍ୟାକୁ ତୁରିତ ସମାଧାନ କରାଯାଉ । ତିରିମଲ ଦୟା ବ୍ରିଜ ଛକ ବେଗୁନିଆପଡା ଠାରୁ ପଟ୍ଟନାଇକିଆ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଓ ହାଟଡେଲାଙ୍ଗ ଛକ ଠାରୁ କଲ୍ୟାଣପୁର ପ୍ରତି ଗ୍ରାମରେ ଅଲୋକୀକରଣ ବ୍ୟବସ୍ଥା କରାଯାଉ । ଡେଲାଙ୍ଗ ଥାନା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଙ୍ଗ କଡାକଡି କରାଯିବା ସହିତ ହାଟଡେଲାଙ୍ଗ ଫାଣ୍ଡି ଓ ହରିରାଜପୁର ଫାଣ୍ଡିରେ ଅଫିସର ନିଯୁକ୍ତି କରାଯାଉ । ଚୋରା ନିଶା କରାବାର ଯଥା ଦେଶୀ ମଦ, ଚୋରା ବିଦେଶୀ ମଦ ଓ ବ୍ରାଉନ୍ ସୁଗାର ଆଦିର ଅବାଧ କାରବାର ବନ୍ଦ କରାଯାଉ । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ୍ ଇନ୍ଚାର୍ଜ ଅଫିସର୍ ସ୍ତ୍ରୀ ରୋଗ ବିଶେଷଜ୍ଞ ସହିତ ଅନ୍ୟ ବିଭାଗର ଖାଲି ପଦବୀ ପୂରଣ କରାଯାଉ । ଆକ୍ରୋଶ ମୂଳକ ଭାବେ ରାସନକାର୍ଡ କଟିଯାଇଥିବା ତାଲିକାକୁ ବିଚାରକୁ ନେଇ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ ଦେବାର ବ୍ୟବସ୍ଥା କରାଯାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଗୃହ ଯୋଜନା ହିତାକାରୀ ଚୟନରେ ପଞ୍ଜିକୃତ ଯୋଗ୍ୟ ହିତାଧିକାରୀଙ୍କୁ ମନୋନିତ ନକରି ସ୍ଥାନୀୟ ବିଧାୟକଙ୍କ ସୁପାରିସରେ ଦଳୀୟଭିତିରେ ଗାଇଡଲାଇନ୍କୁ ଅଳିଆ ଗଦାରେ ଫିଙ୍ଗା ଯାଉଛି ଅଭିଯୋଗ କରିଥିଲେ । ଏହି ପ୍ରକ୍ରିୟାକୁ ବନ୍ଦ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ ସହାୟତା ଯୋଗାଇ ଦିଆଯାଉ ବୋଲି ଦାବୀ କରିଥିଲେ । ଡେଲାଙ୍ଗ ତହସିଲ ଅଞ୍ଚଳରେ ଚୋରା ମୋରମ ଓ ମାଙ୍କଡା ପଥର କାରବାର ଯୋଗୁଁ ଜେସିବି ପୋଡି ବୋମା ମାଡ ପରି ଗୋଷ୍ଠୀ ସଙ୍ଘର୍ଷ ଘଟି ସାଧାରଣ ଧନଜୀବନ କ୍ଷତିଗ୍ରସ୍ତ ହେଉଛି । ଏହାକୁ ତୁରନ୍ତ ନିୟନ୍ତ୍ରଣ କରାଯାଉ । ବିଶ୍ଵନାଥ ପାହାଡ ଶୀର୍ଷକୁ ରାସ୍ତା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବିଶ୍ୱନାଥଦେବଙ୍କ ମନ୍ଦିର ମୁଖ୍ୟଦ୍ଵାର ଠାରୁ ଗତକାଳୁପଡା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଉ । ଡେଲାଙ୍ଗ ରେଳ ଷ୍ଟେସନରେ ଶୌଚାଳୟକୁ କାର୍ଯ୍ୟକ୍ଷମ କରାଯାଉ । ଡେଲାଙ୍ଗ ବ୍ଲକରେ ୨୦% ପିସି କାରବାର ବନ୍ଦ କରାଯାଉ । ଡେଲାଙ୍ଗରେ ବିକାଶମୂଳକ କାର୍ଯ୍ୟ ପୁରା ଠପ୍ । ଏହାକୁ ଗୁରୁତ୍ୱ ଦେଇ ଦୃଷ୍ଟି ଦିଆଯାଉ ଏହି ସମସ୍ୟାଗୁଡିକର ତୂରିତ ସମାଧାନ ନିମନ୍ତେ ଯଥା ଶୀଘ୍ର ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି କୃଷକ ନେତା ଅଶୋକ ପ୍ରଧାନ ଲୁଣା ଓ ଦୟା ନଦୀର ଜଳ ପ୍ରଦୂଷଣ ବିରୋଧ ଅଭିଯୋଗ ଆଣିବା ସହ ବାକିଥିବା ୩ମାସର ବାର୍ଦ୍ଧକ ଭତ୍ତା ପ୍ରଦାନ, ଖାଉଟିମାନଙ୍କୁ ଚାଉଳ ସହିତ ଗହମ ପ୍ରଦାନ, ନିର୍ବାଚନ ପ୍ରତିଶୃତି ମୁତାବକ ୩୫ ଶହ ଟଙ୍କା ଭତ୍ତା ପ୍ରଦାନ, ଲୁଣା ଓ ଦୟା ନଦୀର ପ୍ରଦୂଷିତ ଜଳକୁ ବିଶୋଧନ କରିବା, ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବୀ ସହ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ଆଦି ଅଭିଯୋଗ ଆଣିଥିଲେ । ଡେଲାଙ୍ଗ ଓଡିଶା ଆଦର୍ଶ ବିଦ୍ୟାଳୟର ଅଭିଭାବକ ସଂଘ ସମୂହ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ୨ ମାସ ହେଲାଣି ଆରମ୍ଭ ହୋଇଥିଲେ ମଧ୍ୟ ପିଲାମାନଙ୍କୁ ବହି ମିଳିପାରୁନଥିବା, ବିଦ୍ୟାଳୟରେ ଶିକ୍ଷକ ଅଭାବ, ବାଳିକା ହଷ୍ଟେଲ କାମ ସମ୍ପୂର୍ଣ୍ଣ ସରିଥିଲେ ସୁଧା କାର୍ଯ୍ୟକାରୀ ନହେବା, ବିଦ୍ୟାଳୟର ଚାରିପାଖ ପ୍ରାଚୀର କାମ ଅଧାପନ୍ତରିଆ ଭାବେ ପଡିରହିବା, ସ୍ମାର୍ଟ କ୍ଲାସ ଓ କମ୍ପ୍ୟୁଟର ଶିକ୍ଷା ନମିଳିବା ଆଦି ଅଭିଯୋଗ କରିଥିଲେ । ବାତୋଳ ଗ୍ରାମବାସୀଙ୍କ ପକ୍ଷରୁ କୌଣସି ସୂଚନା ନଦେଇ ଗଡ଼ମୋଟରୀ ରାଜସ୍ୱ ନିରୀକ୍ଷକ ଅଧିନସ୍ଥ ବାତଳ ମୌଜାର ଜନସାଧାରଣ ଉପରେ ଏକକାଳୀନ ୪୦ ବର୍ଷର ଜଳକର ଲଦି ଦିଆଯାଇଥିବା ବେଳେ ସେଗୁଡିକ ଛାଡକରିବା ପାଇଁ ବାତଳ ଗ୍ରାମବାସୀ ଅଭିଯୋଗ କରିଥିଲେ । ଅନ୍ୟ ଅଭିଯୋଗ ମଧ୍ୟରେ ଆମ୍ବେଦକର ଲୋହିଆ ବିଚାର ମଂଚ ପକ୍ଷରୁ କିଷାନ ପଟ୍ଟନାୟକଙ୍କ ନେତୃତ୍ୱରେ ଡେଲାଙ୍ଗ ବ୍ଲକରେ ଦଳିତ ସମ୍ପ୍ରଦାୟର ଲୋକମାନଙ୍କୁ ସେଲୁନ ସେବାରୁ ବଞ୍ଚିତ କରାଯିବା ସହ ଜାତିଭିଭିକ ବୈଷମ୍ୟ ବିରୋଧରେ ତୁରନ୍ତ ହସ୍ତକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣିର ନିବେଦନ କରାଯାଇଛି । ସେହିପରି ଅନୁରୂପ ଭାବେ ଜଳନ୍ଧର ବାରିକଙ୍କ ନେତୃତ୍ୱରେ ଘୋରଡ଼ିଆ ଅଞ୍ଚଳର ବାରିକ ସମ୍ପ୍ରଦାୟ ଲୋକମାନେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ଭିତରେ ସେବା କରି ଆସୁଥିବା ବେଳେ ସେହି ସେବାକୁ ଭାଙ୍ଗିବା ପାଇଁ ଡେଲାଙ୍ଗ ବ୍ଲକର ଦଳିତ ସମ୍ପ୍ରଦାୟର ହିନ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଘୋରଡ଼ିଆ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି କିଛି ବିଶୃଙ୍ଖଳିତ ଦଳିତ ସମ୍ପ୍ରଦାୟର ବ୍ୟକ୍ତିମାନେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି । ଏହି ବିଶୃଙ୍ଖଳିତ ଦଳିତମାନଙ୍କ କବଳରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଘୋରଡ଼ିଆ ଅଞ୍ଚଳର ଆବାସୀ ଅଭିଯୋଗ କରିଛନ୍ତି । ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଡେଲାଙ୍ଗ ଥାନା ପୋଲିସକୁ ଦାୟିତ୍ଵ ଦିଆଯାଇଥିବା ଜଣାପଡିଛି । ଏଥିସହିତ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଆବାସ, ରେସନ କାର୍ଡ, ପାନୀୟ ଜଳ ସମସ୍ୟା, ମଣ୍ଡି ସମସ୍ୟା, ଜଳସେଚନ, ସାମାଜିକ ସୁରକ୍ଷା ଆଦି ବିଭିନ୍ନ ଅଭିଯୋଗ ଓ ସମସ୍ୟା ସ୍ଥାନୀୟ ଜନସାଧାରଣ ଉପସ୍ଥାପନ କରିଥିଲେ ।
