ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତି

ନୂଆଦିଲ୍ଲୀ, (ପିଆଇବି) : ପାନ୍‍ଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ନେଇ କେତେକ ବିଭ୍ରାନ୍ତିକର ଓ ଅତିରଞ୍ଜିତ ଖବର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବାସ୍ତବରେ ସେଠାକାର ସ୍ଥିତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ସଂସଦର ଉଭୟ ଗୃହରେ ତାଙ୍କ ବିବୃତିରେ ସ୍ପଷ୍ଟ କରିଦେଇଛନ୍ତି । ଏହା ସତ୍ତେ୍ୱ ପ୍ରକୃତ ତଥ୍ୟ ଉପସ୍ଥାପନ ନ କରି ଏବଂ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୁଲ ଓ ଅତିରଞ୍ଜିତ ତଥ୍ୟ ପ୍ରକାଶ କରୁଛନ୍ତି । ତାହାକୁ ସଂଶୋଧନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଫିଙ୍ଗର ୪ ପର୍ୟ୍ୟନ୍ତ ଭାରତୀୟ ଅଞ୍ଚଳ ପରିବ୍ୟାପ୍ତ ବୋଲି ଏସବୁ ସମ୍ବାଦରେ ଯାହା ଉଲ୍ଲେଖ କରାଯାଇଛି ତାହା ଠିକ୍‍ ନୁହେଁ । ଏହି ଦାବି ବିଭ୍ରାନ୍ତିକର । ଭାରତୀୟ ଅଞ୍ଚଳର ସୀମା ସରହଦ ଦେଶର ମାନଚିତ୍ରରେ ଦର୍ଶାଯାଇଥିବା ଅନୁରୂପ ରହିଛି । ସେଥିରେ ଚୀନ ଦ୍ୱାରା ୧୯୬୨ରୁ ବେଆଇନଭାବେ ଦଖଲରେ ରହିଥିବା ୪୩ ହଜାର ବର୍ଗ କିମି ଅଞ୍ଚଳ ଅନ୍ତର୍ଭୁକ୍ତ ।
ଏପରିକି ପ୍ରକୃତ ନିୟନ୍ତ୍ରଣରେଖା ବା ଏଲ୍‍ଏସି ଭାରତର ଧାରଣା ମୁତାବକ ଫିଙ୍ଗର ୮ରେ ଅବସ୍ଥିତ ଏବଂ ଏହା ଫିଙ୍ଗର ୪ରେ ନୁହେଁ । ସେଥିପାଇଁ ଭାରତ ନିରନ୍ତରଭାବେ ଫିଙ୍ଗର ୮ ପର୍ୟ୍ୟନ୍ତ ଥିବା ଅଞ୍ଚଳରେ ନିଜର ସୁରକ୍ଷା ଓ ପଇଁତରା ଅଧିକାର ଜାରି ରଖିଆସିଛି । ଚୀନ ସହିତ ଏ ନେଇ ଯେଉଁ କଥାବାର୍ତ୍ତା ଚାଲିଛି ସେଥିରେ ମଧ୍ୟ ଏହି ପ୍ରସଙ୍ଗ ରହିଛି ।
ପାନ୍‍ଗଙ୍ଗ ସୋ ଉତ୍ତରପାଶ୍ୱର୍ର ଉଭୟ ପଟରେ ଥିବା ସ୍ଥାୟୀ ଘାଟି ଦ୍ୱୟ ଦୀର୍ଘସ୍ଥାୟୀ ଏବଂ ସୁଦୃଢ । ଭାରତୀୟ ପାଶ୍ୱର୍ରେ ଫିଙ୍ଗର ୩ ନିକଟରେ ଭାରତର ଧନ୍‍ସିଂହ ଥାପ୍ପା ଘାଟି ରହିଛି । ଏହା ଫିଙ୍ଗର ୮ ପୂର୍ବକୁ ଚୀନ ସୀମାନ୍ତରେ ଅବସ୍ଥିତ । ସାଂପ୍ରତିକ ବୁଝାମଣା ଅନୁସାରେ ଉଭୟ ପକ୍ଷ ନିଜ ନିଜର ସୀମାର ଆଗୁଆ ଅଞ୍ଚଳରେ ସୈନ୍ୟ ମୁତୟନ ବନ୍ଦ ରଖିବେ ଏବଂ ନିଜ ନିଜର ସ୍ଥାୟୀ ଘାଟି ପାଖରେ ସେମାନଙ୍କର ସେନା ମୁତୟନ ସୀମିତ ରହିବ ।
ଏଥିରେ ଆହୁରି କୁହାଯାଇଛି ଯେ ଚୀନ ସହିତ ଏହି ବୁଝାମଣାରେ ଭାରତ କୌଣସି ଅଞ୍ଚଳ ବା ଭୂମି ଛାଡି ନାହିଁ । ଅପରପକ୍ଷରେ ଏଲ୍‍ଏସିକୁ ସମ୍ମାନ ଦେବା ପାଇଁ ଭାରତ ଚାପ ପକାଇଛି ଏବଂ ଏହାର ସ୍ଥିତାବସ୍ଥାରେ ଯେକୌଣସି ଏକତରଫା ପରିବର୍ତ୍ତନକୁ ଏଯାବତ୍‍ ପଣ୍ଡ କରିବାରେ ସଫଳ ହୋଇଛି ।
ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତିରେ ଆହୁରି ସ୍ପଷ୍ଟ କରାଯାଇଛି ଯେ ଦୁଇଦେଶ ମଧ୍ୟରେ ଯେଉଁ ପୁରୁଣା ବିବାଦ ରହିଛି ତାହାର ସମାଧାନ କରାଯିବ । ସେଥିମଧ୍ୟରେ ହଟ୍‍ସ୍ପ୍ରିଙ୍ଗ, ଗୋଗରା ଏବଂ ଦେପସାଙ୍ଗ ଅନ୍ତର୍ଭୁକ୍ତ । ପାନ୍‍ଗଙ୍ଗ ସୋ ସୀମାନ୍ତରୁ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର କରିବା ପରେ ଅନ୍ୟାନ୍ୟ ପୁରୁଣା ବିବାଦର ସମାଧାନ ପାଇଁ ୪୮ ଘଣ୍ଟା ମଧ୍ୟରେ ଉଦ୍ୟମ ଆରମ୍ଭ କରାଯିବ ।
ପୂର୍ବ ଲଦାଖ ସେକ୍ଟରରେ ଆମର ଜାତୀୟ ସ୍ୱାର୍ଥ ଓ ଆଞ୍ଚଳିକ ଅଖଣ୍ଡତାର ସଫଳ ସୁରକ୍ଷା ପାଇଁ ଆମ ସରକାର ଦେଶର ପ୍ରତିରକ୍ଷାବାହିନୀର ଦକ୍ଷତା ଉପରେ ସଂପୂର୍ଣ୍ଣ ଆସ୍ଥା ଓ ଭରସା ରଖିଛନ୍ତି । ଆମର ଯବାନ ଓ ସାମରିକ କର୍ମଚାରୀମାନଙ୍କର ବଳିଦାନ ମାଧ୍ୟମରେ ଯେଉଁ ସଫଳତା ଆମକୁ ମିଳିଛି ତାହାକୁ ଯଦି କେହି ସନ୍ଦେହ ଚକ୍ଷୁରେ ଦେଖେ ତାହାହେଲେ ବୁଝିବାକୁ ହେବ ଯେ ଆମ ଯବାନମାନଙ୍କ ସଂଗ୍ରାମ ଓ ବଳିଦାନକୁ ସେମାନେ ବାସ୍ତବରେ ଅସମ୍ମାନିତ କରୁଛନ୍ତି ।

Leave A Reply

Your email address will not be published.