
ବଲାଙ୍ଗିର, (କେପିଏନ୍ଏସ୍) : ସଫଳତା କେବଳ ପରିଶ୍ରମ ମାଗେ ଏବଂ ନିଷ୍ଠାପର ପରିଶ୍ରମ ହିଁ ଜଣଙ୍କୁ ଶିଖରରେ ପହଞ୍ଚାଇଥାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବଲାଙ୍ଗିରର ଝିଅ ରେବତୀ ସ୍ୱାଇଁ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୨୦୨୬ ମସିହା ସ୍ନାତକୋତ୍ତର (ପିଜି) ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ରେବତୀ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ସ୍ଥାନୀୟ ‘ଫ୍ରେଣ୍ଡସ୍ କ୍ଲବ, ବଲାଙ୍ଗିର’ ପକ୍ଷରୁ ହୋଟେଲ ଏସ୍.ଜେ. ରେଜେନ୍ସିଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଯୋଗଦେଇ ଥିବା ବେଳେ କ୍ଲବର ଶୁଭେଚ୍ଛୁ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ମଧ୍ୟ ଯୋଗଦେଇ ରେବତୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଫ୍ରେଣ୍ଡସ୍ କ୍ଲବର ସଦସ୍ୟମାନେ କହିଛନ୍ତି ଯେ, କେବଳ ସମ୍ବର୍ଦ୍ଧନା ଦେବା ଆମର ଉଦ୍ଦେଶ୍ୟ ନୁହେଁ, ବରଂ ରେବତୀଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଆମେ ସବୁବେଳେ ତାଙ୍କ ସାଥିରେ ରହିବୁ । କଠିନ ପରିଶ୍ରମୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବାରେ ପ୍ରୋତ୍ସାହିତ କରିବା ଆମ କ୍ଲବର ମୁଖ୍ୟ ଲକ୍ଷ୍ୟ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଫ୍ରେଣ୍ଡସ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ପବିତ୍ର ଖୁଣ୍ଟିଆ, ରଂଜିତ ବେହେରା, ମଧୁ ବନଛୋର, ଟିକୁ ପରିଛା, ଲକ୍ଷ୍ମୀ ସ୍ୱାଇଁ, ବଦ୍ରି ନାରାୟଣ ମିଶ୍ର, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥି, ସଂଜୀବ ସାହୁ, ବିକାଶ ସା, ଦେବାଶିଷ ଦାସ, ତାପସ ମହାନ୍ତି, ପୃଥ୍ୱୀରାଜ ବରାଡ଼, ସନତ ତ୍ରିପାଠୀ, ସରୋଜ ସାହୁ, ମୁନା ପାଳ, ସରୋଜ ପାଢ଼ୀ, କିଶୋର ଦଣ୍ଡସେନାଙ୍କ ସହ ଶତାଧିକ ସଦସ୍ୟ ଉପସ୍ଥିତ ଥିବା ବେଳେ, ସମ୍ପାଦକ ଜଗନ୍ନାଥ ମିଶ୍ର ଧନ୍ୟବାଦ ଦେଇଥିଲେ ।