jayashree

ପଦ୍ମପୁର ଶାନ୍ତି ନଗର ମାଉସୀ ମା’ ମନ୍ଦିର ଠାରେ ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ମାଉସୀ ମା’ ମନ୍ଦିର ଠାରେ ଚଳିତ ବର୍ଷ ୨୦୨୬ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ମାଉସୀ ମାଁ ମନ୍ଦିର ପୂଜା କମିଟି ସମ୍ପାଦକ ପ୍ରତାପ ନାଥ ବୈଠକରେ ଉପସ୍ଥିତ ଥିବା ସଜ୍ଜନ ମଣ୍ଡଳୀ, ଉପଦେଷ୍ଠା ମଣ୍ଡଳୀ, ତଥା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । କମିଟି ସଭାପତି ଡ଼. ଦେବାଶିଷ ରଥଙ୍କୁ ଆଜିର ବୈଠକରେ ଅଧ୍ୟକ୍ଷତା କରିବା ପାଇଁ ସମ୍ପାଦକ ଅନୁରୋଧ କରିଥିଲେ । ଡ଼. ରଥ ସମ୍ପାଦକଙ୍କ ଅନୁରୋଧ ରକ୍ଷା କରି ଅଧ୍ୟକ୍ଷତା କରି ସର୍ବପ୍ରଥମେ ଗତବର୍ଷ ମାଉସୀ ମା’ ମନ୍ଦିର ପ୍ରତିଷ୍ଠା ଉତ୍ସବ ସଙ୍ଗେ ସଙ୍ଗେ ନଅ ଦିନ ବ୍ୟାପି ରଥଯାତ୍ରାକୁ କମିଟିର ସମସ୍ତ ସଦସ୍ୟ ତଥା ଶାନ୍ତିନଗର, ମାଷ୍ଟର କଲୋନୀ, ମୈତ୍ରୀ ନଗର ଓ ପଦ୍ମପୁରର ସମସ୍ତ ଭକ୍ତବୃନ୍ଦଙ୍କ ସହଯୋଗରେ ସୁଚାରୁ ରୂପେ ପରିଚାଳନା ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ରଜାପଡା ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି ଭଗବାନ ଜଗନ୍ନାଥ, ଭଗବାନ ବଳଭଦ୍ର, ମାତା ସୁଭଦ୍ରା ଓ ଭଗବାନ ସୁଦର୍ଶନ ଦେବଙ୍କୁ ଶାନ୍ତିନଗର ମାଉସୀ ମା’ ମନ୍ଦିରକୁ ରଥଯାତ୍ରା ସମୟରେ ପାଛୋଟି ଆଣିବା ସକାଶେ ମଳମାସ ସରିବା କ୍ଷଣି ନିମନ୍ତ୍ରଣ ପାଇଁ କମିଟି ସଦସ୍ୟ ଯିବା ପାଇଁ ସ୍ଥିର ହୋଇଛି । ରଥଯାତ୍ରା ସାତଦିନ ବ୍ୟାପି ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ ପଡାର ମାଉସୀ ମା’ ମାନଙ୍କ ପ୍ରଚେଷ୍ଠାରେ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପ୍ରବଚନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଗଲା । ବୟୋଜ୍ୟେଷ ଉପଦେଷ୍ଠା ମଣ୍ଡଳୀ ସୁ – ଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ରଥଯାତ୍ରାର ଦ୍ଵିତୀୟା ଦିନଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯିବାର ନିଷ୍ପତ୍ତି ନିଆଗଲା । ଆଜିର ବୈଠକରେ ଉପସଭାପତି ମହେଶ ବେହେରା, କୋଷାଧକ୍ଷ କୁନାଲ ପାଣିଗ୍ରାହୀ, ସହ ସମ୍ପାଦକ ତୁଷାର ପଧାନ, ଡ଼. ଗଦାଧର ରଥ, ଡ଼. ଅର୍ଜୁନ ଦେବତା, ସରୋଜ କୁମାର ରଥ, ସାନ୍ତାନୁ ପାଣିଗ୍ରାହୀ, ତାରା ପ୍ରସାଦ ସତପଥି, ସୂର୍ଯ୍ୟ ପ୍ରସାଦ ହୋତା, ଜଗବନ୍ଧୁ ପୋଥାଳ, ପ୍ରୀତିରଞ୍ଜନ ପଧାନ, ଘନଶ୍ୟାମ ପୁଞ୍ଜି, ଗଙ୍ଗାଧର ମହାନ୍ତି, ବିଦ୍ୟାଧର ଦାଶ, ଅମୀୟ ପୁରୋହିତ, ସୁରଜ ପ୍ରସାଦ ସାହୁ, ଅଶୋକ ଦାଶ, ଦିବ୍ୟକିଶୋର ପଣ୍ଡା, ସୁମନ୍ତ ସାହୁ, ବିକାଶ ବଢ଼େଇ, ପୁଷ୍ପବସ ପଧାନ, ବିକାଶ ପୁରୋହିତ ଓ ମିଳନ ପଣ୍ଡା ଉପସ୍ଥିତ ଥିଲେ । ସଭା ଶେଷରେ ପୂଜା କମିଟି ସମ୍ପାଦକ ପ୍ରତାପ ନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.