
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଏସ୍ସି-ଏସ୍ଟି ସଂଯୁକ୍ତ କମିଟି, କଣ୍ଟାବାଞ୍ଜି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟଙ୍କ ସାମ୍ବିଧାନିକ ଅଧିକାର, ଶିକ୍ଷା, ଜୀବିକା, ଜମି ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରସଙ୍ଗରେ କମିଟି ପକ୍ଷରୁ ୧୦ ଦଫା ଦାବି ଉପସ୍ଥାପନ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶିଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫(୪), ୧୬(୪), ୨୧, ୪୬, ପଞ୍ଚମ ସୂଚୀ, ଏସ୍.ସି./ଏସ୍.ଟି. ଅତ୍ୟାଚାର ନିବାରଣ ଆଇନ, ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଏହି ସମୁଦାୟଙ୍କ ସୁରକ୍ଷା ଓ ଉନ୍ନତି ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ । କିନ୍ତୁ ବିଭିନ୍ନ କ୍ଷେତ୍ରରେ ଏସ୍ସି/ଏସ୍ଟି ସମୁଦାୟଙ୍କ ଅଧିକାର ପ୍ରଭାବିତ ହେଉଥିବାରୁ ଏହି ଦାବିଗୁଡ଼ିକ ଉଠାଯାଇଛି । କମିଟି ପକ୍ଷରୁ “ଅନ୍ୱେଷା” ଯୋଜନାକୁ ପୁନଃ ଚାଲୁ କରିବା, ଜି.ଏନ୍.ଏମ୍ ଓ ବି.ଏସ୍.ସି. ନର୍ସିଂ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୫୦ ହଜାର ଟଙ୍କା ଛାତ୍ରବୃତ୍ତି ଜାରି ରଖିବା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଏମ୍ଏମ୍ଏସ୍ ଛାତ୍ରବୃତ୍ତି ପୁନଃ କାର୍ଯ୍ୟକାରୀ କରିବା, ଏସ୍ସି/ଏସ୍ଟି ଅତ୍ୟାଚାର ନିବାରଣ ଆଇନର କଡ଼ାକଡ଼ି କାର୍ଯ୍ୟାନ୍ୱୟନ ଏବଂ ପେସା ଆଇନକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ଦାବି କରାଯାଇଛି । ସେହିପରି ପଞ୍ଚାୟତ ରାଜ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ପୁନଃ ବହାଲ, ଏସ୍ସି/ଏସ୍ଟି ଜମିର ବେଆଇନ ହସ୍ତାନ୍ତର ରୋକିବା, ଜମିହୀନ ପରିବାରଙ୍କ ଘର ଭଙ୍ଗା ବନ୍ଦ କରିବା, ଗ୍ରାମସଭାର ଅନୁମୋଦନ ବିନା ଖଣି ଓ ଶିଳ୍ପ ପ୍ରକଳ୍ପକୁ ଅନୁମତି ନଦେବା ଏବଂ ଯୋଗ୍ୟ ଆଦିବାସୀ ଓ ବନବାସୀ ପରିବାରଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିବା ପାଇଁ ସରକାରଙ୍କୁ ଦାବି କରାଯାଇଛି ।