jayashree

ୟୁଥ୍ ହଷ୍ଟେଲ ଦ୍ଵାରା ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍ ହଷ୍ଟେଲ ରାଉରକେଲା ଦ୍ଵାରା ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆବାହକତ୍ୱ ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟିର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧୀମାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ସମ୍ପ୍ରତି ବିଶ୍ୱ ପ୍ରଦୂଷଣ ନେଇ ଆତଙ୍କିତ ଥିବା ବେଳେ, ଏଥିରୁ ବର୍ତ୍ତିବା ପାଇଁ ବ୍ୟାପକ ବୃକ୍ଷରୋପଣ, ନଦୀ ସମୁଦ୍ରକୁ ପ୍ରଦୂଷଣମୁକ୍ତ, ପ୍ଲାଷ୍ଟିକ ବ୍ୟବହାରରେ ଅଙ୍କୁଶ, ଗାଡି ମୋଟର ତଥା କଳକାରଖାନାରୁ ନିର୍ଗତ ହେଉଥିବା ଗ୍ୟାସ ଯୋଗୁଁ ବିଶ୍ୱ ସଂକଟମୟ ସ୍ଥିତିରେ ଅଛି । ତେଣୁ ଏହାକୁ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଦରକାର । ୟୁଥ୍ ହଷ୍ଟେଲ ଏହାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତଥା ସମାଜରେ ସଚେତନତା କାର୍ଯ୍ୟକ୍ରମ କରୁଥିବାରୁ ସେ ସାଧୁବାଦ ଦେଇଥିଲେ । ଅନ୍ୟତମ ଅତିଥି ଅନୁଷ୍ଠାନର ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ପ୍ରଦୂଷଣ ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ଶ୍ରୀ ବେହେରା ଅନୁଷ୍ଠାନ ତଥା କାର୍ଯ୍ୟକ୍ରମର ଆଭିମୁଖ୍ୟ, ସଭାପତି ଶ୍ରୀ ସ୍ୱାଇଁ ସ୍ୱାଗତ ଭାଷଣ ସହ ବିଶ୍ୱକୁ ପ୍ରଦୂଷଣରୁ ମୁକ୍ତ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ହିରାଲାଲ ମହାପାତ୍ର, ଅକ୍ଷୟ ସାମଲ, ଗୋକୁଳାନନ୍ଦ ଦାଶ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ କୃତିତ୍ୱ ହାସଲ କରିଥିବା ମିଶିତା ନାୟକ ଓ ଶ୍ରେୟାସୀ ସାହୁ ବକ୍ତବ୍ୟ ରଖିଥିଲେ । ଶେଷରେ କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସରୋଜ, ସମର କାନ୍ତ, ସଲିଲ, ଆଶିଷ ବିର୍ସା, କୃଷ୍ଣଚନ୍ଦ୍ର, ମୀନାକ୍ଷୀ, କାମିନୀ, ଅର୍ଚ୍ଚନା, ପି ସି, ଦେବାଶିଷ, ଅର୍ପିତା, ବିଷ୍ଣୁପ୍ରିୟା, ସୁରେଶ, ବିଜୟ, କବିତା, ନାରାୟଣ, ଅନନ୍ତ, ଗାୟତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.