jayashree

ସିଂହମ୍ ଷ୍ଟାଇଲରେ ଏସ୍‌ଡିପିଓ ପାଣ୍ଡବ ଶବର : ନାକେଦମ୍ କୋରେକ୍ସ ମାଫିଆ

  • ଜିଲ୍ଲାରେ ନିଶା କାରବାର ବିରୋଧରେ ପୁଲିସର ଜୋରଦାର ଅଭିଯାନ, ମାଫିଆ ମହଲରେ ଛନକା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଯୁବପିଢ଼ିଙ୍କୁ ନିଶା ଜାଲରେ ଫସାଇ ସମାଜକୁ କଳୁଷିତ କରୁଥିବା କୋରେକ୍ସ ମାଫିଆଙ୍କ ବିରୋଧରେ ପୁଲିସ ଏବେ ପୁରାପୁରି ଆକ୍ସନ୍ ମୁଡ଼ରେ । ପଦ୍ମପୁର ଏସ୍‌ଡିପିଓ ପାଣ୍ଡବ ଶବରଙ୍କ ନେତୃତ୍ୱରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଫଳରେ ବେଆଇନ ନିଶା କାରବାରୀଙ୍କ ନିଦ ହଜିଯାଇଛି । ଦିନକୁ ଦିନ ଚାଲିଥିବା ଚଢ଼ାଉ, ତଲାସି ଓ ଗିରଫଦାରୀ ମାଧ୍ୟମରେ ପୁଲିସ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଅପରାଧ ଓ ନିଶା କାରବାର ପ୍ରତି କୌଣସି ପ୍ରକାର ନରମ ମନୋଭାବ ରହିବ ନାହିଁ । କିଛି ବର୍ଷ ଧରି ଅଞ୍ଚଳରେ କୋରେକ୍ସ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବେଆଇନ ବ୍ୟବସାୟ ଚିନ୍ତାର ବିଷୟ ପାଲଟିଥିଲା । ଅନେକ ଯୁବକ ଏହାର ଶିକାର ହେଉଥିବା ବେଳେ ଅଭିଭାବକ ଓ ସାମାଜିକ ସଂଗଠନମାନେ ପୁଲିସର ହସ୍ତକ୍ଷେପ ଦାବି କରୁଥିଲେ । ଏପରି ସମୟରେ ଏସ୍‌ଡିପିଓ ପାଣ୍ଡବ ଶବର ଦାୟିତ୍ୱ ନେବା ପରେ ନିଶା ବେପାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ଏକ ବ୍ୟାପକ ଅଭିଯାନ । ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରାଯାଉଥିବା ବେଳେ ଅନେକ କୋରେକ୍ସ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ପଦ୍ମପୁର ପୋଲିସ । ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ନିଶା କାରବାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ଖୋଲାଖୋଲି ଚାଲୁଥିବା ବେଆଇନ କାରବାର ଏବେ ପ୍ରାୟ କମିବାରେ ଲାଗିଛି । ଏସ୍‌ଡିପିଓ ପାଣ୍ଡବ ଶବର ସ୍ପଷ୍ଟ କରିଛନ୍ତି ଯେ, ନିଶା କାରବାର କେବଳ ଏକ ଅପରାଧ ନୁହେଁ, ଏହା ସମାଜ ଓ ଯୁବପିଢ଼ିଙ୍କ ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ । ସେଥିପାଇଁ ଏହି କାରବାରରେ ଜଡ଼ିତ ଯେକୌଣସି ବ୍ୟକ୍ତିଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ । ପୁଲିସର ଏହି “ଜିରୋ ଟଲରେନ୍ସ” ନୀତି ଅପରାଧୀଙ୍କ ପାଇଁ ଏକ କଡ଼ା ଚେତାବନୀ ଭାବେ ଦେଖାଯାଉଛି । ଅଞ୍ଚଳବାସୀ ମଧ୍ୟ ପୁଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଯୁବପିଢ଼ିଙ୍କୁ ନିଶାର କବଳରୁ ବଞ୍ଚାଇବା ପାଇଁ ଏଭଳି କଡ଼ା ଆଭିମୁଖ୍ୟ ନିହାତି ଆବଶ୍ୟକ ଥିଲା । ପୁଲିସର ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଥିବା ବେଳେ ନିଶା ମାଫିଆଙ୍କ ମଧ୍ୟରେ ଆତଙ୍କ ଆହୁରି ବଢ଼ିଛି । ସମାଜକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ପୁଲିସର ଏହି ଦୃଢ଼ ପଦକ୍ଷେପ ବର୍ତ୍ତମାନ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶଂସା ସାଉଁଟୁଥିବା ବେଳେ, ଅପରାଧୀ ଓ କୋରେକ୍ସ ମାଫିଆଙ୍କ ପାଇଁ ଏହା ଏକ କଡ଼ା ସନ୍ଦେଶ ହୋଇଛି ।

Leave A Reply

Your email address will not be published.