
ରାଉରକେଲା, (ସସ୍ମିତା ପ୍ରଧାନ) : ୫ ଜୁନ୍ ୨୦୨୬ ବିଶ୍ୱ ପରିବେଶ ଦିବସ ୨୦୨୬ ଅବସରେ ରାଉରକେଲାର ସ୍ୱେଚ୍ଛାସେବୀ ସଂଗଠନ ‘ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ’କୁ ‘ପ୍ରକୃତି ମିତ୍ର ପୁରସ୍କାର’ରେ ସମ୍ମାନିତ କରାଯାଇଛି । ସୁନ୍ଦରଗଡ଼ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଡିଏଫ୍ଓ ଖୁଶବନ୍ତ ସିଂହ, (ଆଇ.ଏଫ.ଏସ)ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ତେଜସ୍ୱୀନି ବେହେରା, ଏସିଏଫ ରାଜକୁମାର ସେଠି, ଉଦ୍ୟାନ ବିଭାଗ ଡେପୁଟି ଡାଇରେକ୍ଟର ସୁଶାନ୍ତ କୁମାର ନାୟକ ଉପସ୍ଥିତ ରହି ଏହି ସମ୍ମାନ ଅନୁଷ୍ଠାନର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କୁ ପ୍ରଦାନ କରିଥିଲେ । ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଜଙ୍ଗଲ ନିଆଁ ନିବାରଣ, ହାତୀ -ମନୁଷ୍ୟ ସଂଘର୍ଷ ନିରାକରଣ ପାଇଁ ସଚେତନତା, ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କ୍ଷେତ୍ରରେ ୱାଇଏମ୍ଏଫ୍ଆଇର ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ଗତ ବର୍ଷ ୱାଇଏମ୍ଏଫ୍ଆଇର ସଦସ୍ୟମାନେ ରାଉରକେଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ, ସ୍କୁଲ୍ କଲେଜରେ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ଏବଂ ପର୍ଯ୍ୟଟନ ସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ ଓ ସଫେଇ ଅଭିଯାନ କରିଥିଲେ । ପୁରସ୍କାର ଗ୍ରହଣ କରି ୱାଇ ଏମ୍ଏଫ୍ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ କହିଛନ୍ତି ଯେ, “ଏହି ସମ୍ମାନ ଆମ ପାଇଁ ପ୍ରେରଣା । ରାଉରକେଲାକୁ ସବୁଜ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଆମେ ଆଗକୁ ମଧ୍ୟ ଦୃଢ଼ ସଂକଳ୍ପରେ କାମ ଜାରି ରଖିବୁ ।” ଏହି ସମ୍ମାନ ପରେ ରାଉରକେଲାର ଯୁବପିଢ଼ି ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ଉତ୍ସାହ ବୃଦ୍ଧିପାଇଛି ।