
ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ପ୍ରାଥମିକ ବିଦ୍ୟାଳୟ, ମଲମୁଣ୍ଡା ପରିସରରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ବିଦ୍ୟାଳୟ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଓ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନୂତନ ବିଦ୍ୟାଳୟ ପୋଷାକ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ଅଭିଭାବକ, ଶିକ୍ଷକ ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ । ଅତିଥିମାନେ ଶିକ୍ଷାର ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ ଓ ଶୃଙ୍ଖଳା ରକ୍ଷାରେ ବିଦ୍ୟାଳୟ ପୋଷାକର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ପୋଷାକ ପାଇ ଛାତ୍ରଛାତ୍ରୀମାନେ ବେଶ ଆନନ୍ଦିତ ହୋଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଆଞ୍ଚଳିକ ସାଧନ ସଂଯୋଜକ ପ୍ରମୋଦ କୁମାର ପଟେଲ ସରକାରଙ୍କ ଏହି ଜନହିତକର ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ସମସ୍ତ ଅଭିଭାବକଙ୍କୁ ଶିଶୁମାନଙ୍କର ନିୟମିତ ବିଦ୍ୟାଳୟ ଆଗମନ ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ । ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।