
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗୁରୁବାର ଅପରାହ୍ନରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପଡ଼ିଆବାହାଲ ପଞ୍ଚାୟତର ପାଚେର ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି । ବଜ୍ରାଘାତରେ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପାଚେର ଗ୍ରାମର ବିନୋଦିନୀ ବରିହା (୨୬) ଘର ବାରି ପାର୍ଶ୍ୱକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ହଠାତ୍ ଘଡ଼ଘଡ଼ି ସହ ପ୍ରବଳ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ସେ ଘଟଣାସ୍ଥଳରେ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅପ୍ରତ୍ୟାଶିତ ଘଟଣା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି । ଏନେଇ ଖପ୍ରାଖୋଲ ଥାନାରେ ୟୁଡି କେସ୍ ନଂ–୦୫/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । କେସ୍ର ତଦନ୍ତକାରୀ ଅଧିକାରୀ ରବୀନ୍ଦ୍ର କୁମ୍ଭାର ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି । ବିନୋଦିନୀଙ୍କ ଅକାଳ ବିୟୋଗ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବାବେଳେ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।