jayashree

ପାଣି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଘେରାଉ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ଚେତାବନୀ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକରେ ଦୀର୍ଘଦିନ ଧରି ଚାଲିଥିବା ଜଳ ସଙ୍କଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଦେଓଗାଁ ବ୍ଲକବାସୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସୂଚନା ଅନୁଯାୟୀ, ୨୦୨୩ ମସିହାରେ ୬୮ କୋଟି ଟଙ୍କା ବ୍ୟୟ ଅଟକଳରେ ଅର୍ଜୁନପୁର ଠାରେ ବୃହତ୍ ପାନୀୟ ଜଳ ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ଦେଓଗାଁ ବ୍ଲକର ୧୦ଟି ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୫୪ଟି ଗାଁର ଲୋକେ ଉପକୃତ ହେବାର ଯୋଜନା ଥିଲା । ପ୍ରକଳ୍ପଟି ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରହିଥିଲେ ମଧ୍ୟ, ୨୦୨୬ ମାର୍ଚ୍ଚ ଅତିକ୍ରମ କରିଥିଲେ ସୁଦ୍ଧା କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏପଟେ ଜଳ ଅଭାବ ଯୋଗୁଁ ୫୪ଟି ଗାଁର ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ଲକ୍ଷ୍ମଣ ମେହେରଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟାଳୟ ଘେରାଉ କରି ନିଜ ଦାବି ଉପସ୍ଥାପନ କରିଥିଲେ । ଆନ୍ଦୋଳନକାରୀମାନେ ଚେତାବନୀ ଦେଇ କହିଥିଲେ, ଯଦି ଶୀଘ୍ର ପ୍ରକଳ୍ପ କାମ ଶେଷ କରି ଲୋକଙ୍କୁ ପାଣି ଯୋଗାଇ ଦିଆନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ଘଟଣାସ୍ଥଳରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆସନ୍ତା ଦଶହରା ସୁଦ୍ଧା ପ୍ରକଳ୍ପର ଟ୍ରାଏଲ୍‌ ରନ୍‌ ଆରମ୍ଭ ହେବ ଏବଂ ଡିସେମ୍ବର ମାସ ସୁଦ୍ଧା କାମ ସମ୍ପୂର୍ଣ୍ଣ କରି ଘରେ ଘରେ ପାଣି ପହଞ୍ଚାଇବାକୁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.