
- ଗବେଷଣା ମୂଳକ କାର୍ଯ୍ୟ ଆରମ୍ଭ ପାଇଁ ହେଲା ଆଲୋଚନା
ବଲାଙ୍ଗିର, (ଦେବଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଯାଇ କୂଳପତି ବିଭୁତି ଭୂଷଣ ମଲ୍ଲିକ ଓ କୂଳ ସଚିବ ହରପ୍ରସାଦ ଭୋଇଙ୍କ ସହ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ଯେ ପର୍ଯ୍ୟନ୍ତ ଗବେଷଣାମୂଳକ କାର୍ଯ୍ୟ ହେଉ କି ପାଠ୍ୟକ୍ରମ ହେଉ ଆରମ୍ଭ ନ ହୋଇଛି ସେ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ । ସେ ନିଜେ ବିଧାୟକ ଥିଲା ବେଳେ ବଲାଙ୍ଗିରରେ ଏକ ସାଇନ୍ସ ପାର୍କର କାର୍ଯ୍ୟ ଆରମ୍ଭ କରାଇଥିଲେ । ତାହା ଶୀଘ୍ର ସମ୍ପୂର୍ଣ୍ଣ କରି ତାର ପରିଚାଳନା ରକ୍ଷଣାବେକ୍ଷଣ ପାଇଁ ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରିବା ନିଷ୍ପତ୍ତି ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସାଇନ୍ସ ପାର୍କ ସମ୍ପୂର୍ଣ୍ଣ ହୋଇନପାରିବା ବହୁତ ଦୁଃଖର କଥା । ତେଣୁ ପ୍ରଶାସନ ଏ ଦିଗରେ ଧ୍ୟାନ ଦେବା ଦରକାର ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ଆଲୋଚନା ବେଳେ ବିଶ୍ୱବିଦ୍ୟାଳୟ ପାଇଁ ଦରକାର ହେଉଥିବା ଜମି ତଥା ବର୍ତ୍ତମାନ ଥିବା ଜମିରେ କିଛି ଅସଙ୍ଗତି ସହ ଜବରଦଖଲ ହୋଇଥିବାରୁ ସେ ସବୁ ସମାଧାନ ପାଇଁ କୂଳପତି ଶ୍ରୀ ମଲ୍ଲିକ ନରସିଂହଙ୍କ ସହଯୋଗ ଲୋଡିଥିଲେ । ଏଥିରେ ତାଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗିରର ସମସ୍ତ ଜନସାଧାରଣ ନିଶ୍ଚିତ ଭାବରେ କୂଳପତିଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଅଣ ଶିକ୍ଷକ ପଦବୀ ପୁରଣ ଯେହେତୁ ରାଜ୍ୟ ସରକାରଙ୍କ ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ୱାରା କରାଯାଇଥାଏ ସେଥି ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଅନୁରୋଧ କରାଯାଇଥିବାର ଆଲୋଚନା ବେଳେ କୂଳପତି ଶ୍ରୀ ମଲ୍ଲିକ କହିଥିଲେ । ଗତ ୫ ବର୍ଷ ହେଲା ବିଶ୍ୱ ବିଦ୍ୟାଳୟ ପାଇଁ ଦରକାର କରୁଥିବା ବି-୨ ମାନ୍ୟତା ନାହିଁ । ଫଳରେ ୟୁଜିସିରୁ ଅନୁଦାନ ପାଇବା ସମ୍ଭବ ହେଉ ନାହିଁ ତେଣୁ କୂଳପତି ନିଜ ତରଫରୁ ଏ ଦିଗରେ ଉଦ୍ୟମ ଜାରି ରଖି ଯେମିତି ୟୁଜିସି ଅନୁଦାନ ବିଶ୍ୱ ବିଦ୍ୟାଳୟ ପାଇ ପାରିବ ସେ ଦିଗରେ କାମ କରୁଛନ୍ତି ବୋଲି କହିଥିଲେ । ଆଲୋଚନା ପରେ ବୈଠକରେ ସାମିଲ ଥିବା ଛାତ୍ରନେତା ତଥା ପୁରାତନ ଛାତ୍ରମାନେ ବିଶ୍ୱ ବିଦ୍ୟାଳୟରେ ହଷ୍ଟେଲ ମରାମତି, ହଷ୍ଟେଲର କ୍ଷମତା ବଢାଇବା, ନୂଆ ବିଭାଗ ଯଥା ଆଇନ, ସାମ୍ବାଦିକତା, ବୃତ୍ତିଗତ ଶିକ୍ଷା, ବିସିଏ, ଏମ୍ସିଏ, ବିଟେକ୍, ଏମ୍ଟେକ୍ ଇତ୍ୟାଦି ପାଠ୍ୟକ୍ରମ ଖୋଳିବାକୁ ନେଇ କୂଳପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏ ଦିଗରେ ଶିଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଆଜିର ଏହି ଆଲୋଚନା ବେଳେ ଛାତ୍ରନେତା ଚିନ୍ମୟ ବେହେରା, ଅଙ୍କିତ ସାହୁ, ସୋହନ ସୁନ୍ଦର ନାଏକ, ପଂଚାନନ ଷାଣ୍ଢ, ଅମୀୟ ବଗର୍ତ୍ତି, ଜିତେନ ମନହିରା, ତାପସ ମିଶ୍ର, ସୁମନ ସ୍ୱାଇଁ, ଶ୍ରୀକାନ୍ତ ବେହେରା, ପୁରାତନ ଛାତ୍ର ବ୍ୟାସଦେବ ନନ୍ଦ, ଦିନେଶ ପ୍ରସାଦ ଦାନି ଏବଂ ହିମାଂଶୁ ନାୟକ ଉପସ୍ଥିତ ଥିଲେ ।