
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲର କ୍ଷୁଦ୍ର ବ୍ୟବସାୟୀଙ୍କ ଥଇଥାନ ଦାବିକୁ ନେଇ ଚାଲିଥିବା ଆମରଣ ଅନଶନ ଆଜି ପ୍ରତ୍ୟାହୃତ ହୋଇଛି । ଅନଶନ ସ୍ଥଳରେ ପହଞ୍ଚି ପୂର୍ବତନ ବିଧାୟକ ସରୋଜ ମେହେର ବଣିକ ସଂଘର ଦାବିକୁ ନ୍ୟାୟସଙ୍ଗତ ବୋଲି କହି ନିଜର ଦୃଢ଼ ସମର୍ଥନ ଜଣାଇଥିଲେ । ସେ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ସାତଦିନ ମଧ୍ୟରେ ଏକ ସମନ୍ୱୟ ବୈଠକ ଡାକି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଏହାସହ ଶୀଘ୍ର ଥଇଥାନ ବ୍ୟବସ୍ଥା ନ ହେଲେ ହଜାର ହଜାର ଲୋକଙ୍କୁ ନେଇ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ବିଡିଓ ଶ୍ରୀ ଷଡ଼ଙ୍ଗୀ ମଧ୍ୟ ଖୁବ୍ ଶୀଘ୍ର ସମନ୍ୱୟ ବୈଠକ ଆୟୋଜନ କରି ସରକାର ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ବିଷୟଟି ଅବଗତ କରାଇ ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ପ୍ରଶାସନର ଆଶ୍ୱାସନ ପରେ ଅନଶନକାରୀଙ୍କୁ ଆମ୍ବ ଜୁସ ପିଆଇ ଅନଶନ ପ୍ରତ୍ୟାହାର କରାଯାଇଥିଲା । ସଂକଟ ସମୟରେ ବଣିକ ସଂଘ ପାଖରେ ସରୋଜ ମେହେରଙ୍କ ଦୃଢ଼ ଉପସ୍ଥିତି ଓ ସକ୍ରିୟ ଭୂମିକାକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି ।