
ବଲାଙ୍ଗିର, (କେପିଏନ୍ଏସ୍) : ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ପାରା-ତୀରନ୍ଦାଜ ସିରିଜ୍-୨୦୨୬ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଦେଶ ଓ ଓଡ଼ିଶା ମାଟିକୁ ଗୌରବାନ୍ୱିତ କରିଥିବା ଆନ୍ତର୍ଜାତୀୟ କୀର୍ତ୍ତିସମ୍ପନ୍ନ କୃତୀ ଦିବ୍ୟାଙ୍ଗ ତୀରନ୍ଦାଜ ପାୟଲ ନାଗଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଏହି ବିଶେଷ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ଏବଂ ଶୈଶବରେ ଏକ ଦୁର୍ଘଟଣାରେ ନିଜର ଦୁଇ ହାତ ଓ ଦୁଇ ଗୋଡ଼ ହରାଇଥିବା ସତ୍ତ୍ୱେ ପାୟଲ ନିଜର ଅଦମ୍ୟ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ବିଶ୍ୱ ମଞ୍ଚରେ ୧ ନମ୍ବର ଖେଳାଳିଙ୍କୁ ପରାସ୍ତ କରି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତାଙ୍କର ଏହି ଅସାଧାରଣ ସଫଳତା ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବର ବିଷୟ ପାଲଟିଛି । ତାଙ୍କର ଏହି ପ୍ରତିଭାକୁ ପ୍ରଶଂସା କରି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ବିଶ୍ୱ ଚାମ୍ପିୟନ ପାୟଲଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ, ପାୟଲ କେବଳ ବଲାଙ୍ଗିରର ନୁହଁନ୍ତି, ବରଂ ସାରା ଦେଶର ଗୌରବ । ତାଙ୍କର ଏହି ବିଜୟ ଯାତ୍ରା ପ୍ରମାଣ କରେ ଯେ, ଦୃଢ଼ ମନୋବଳ ଆଗରେ କୌଣସି ପ୍ରତିବନ୍ଧକ ବାଧା ସୃଷ୍ଟି କରିପାରିବ ନାହିଁ । ପାୟଲଙ୍କ ଆଗାମୀ ପାରା ଏସୀୟ କ୍ରୀଡ଼ା ଏବଂ ପାରାଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯିବ । ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ ଭାବବିହ୍ୱଳ ହୋଇ ବିଶ୍ୱ ବିଜୟିନୀ ପାୟଲ୍ ନାଗ କହିଥିଲେ ଯେ, ଏହି ସଫଳତା ପଛରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ତାଙ୍କ କୋଚ୍ଙ୍କ ବହୁତ ବଡ଼ ଅବଦାନ ରହିଛି । ଆନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଆହୁରି ପଦକ ଆଣିବା ତାଙ୍କର ଆଗାମୀ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ହୋଇ ପାୟଲ୍ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।