mahavir

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

  • ସୋନଗଡନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଳ୍ପ ନେଇ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଆଜି ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ବିରୋଧି ବିଜେଡି ଦଳ ପକ୍ଷରୁ ଏକ ପ୍ରତିନିଧିଦଳ ତାଙ୍କୁ ଭେଟି ବଲାଙ୍ଗିରର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସକୁ ବିଜେଡିର ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧିଦଳ ନିକଟ ଅତୀତରେ ଟିଏସି(ବୈଷୟିକ ପରାମର୍ଶାଦାତା କମିଟି)ର ଅନୁମୋଦନ ଲାଭ କରିଥିବା ସୋନଗଡନଦୀରେ ସିକୁଆଁ-ସିଲେଟକାନୀର ୧୨୪ କୋଟି ଟଙ୍କାର ଆଇଏସ୍‌ଏସ୍‌ ପ୍ରକଳ୍ପକୁ ତୁରନ୍ତ କରାଯିବା ଦାବି କରିଛନ୍ତି । ଏହି ପ୍ରକଳ୍ପ ଯୋଗୁଁ ଦେଓଗାଁ ବ୍ଲକର ୧୬ ଖଣ୍ଡ ଗ୍ରାମର ଜମିକୁ ଜଳସେଚିତ କରାଯିବା ସହିତ ୨୮ଟି ପାନୀୟଜଳ ପ୍ରକଳ୍ପ ଉପକୃତ ହେବ । ଏହା ସହିତ ସୋନଗଡରେ ଦେଓଗାଁ, ଜରାସିଂହାଠାରେ ଓ ତେଲନଦୀରେ ବ୍ରାହ୍ମଣୀପଲାଠାରେ ବ୍ୟାରେଜ କରାଯିବାକୁ ମଧ୍ୟ ଦାବି କରାଯାଇଛି । ଠିକ ସେହିପରି ବଲାଙ୍ଗିର ସହରର ଜଳ ପରିଚାଳନା ପାଇଁ ଡ୍ରେନେଜବ୍ୟବସ୍ଥା ପାଇଁ ୧ ହଜାର କୋଟି ଟଙ୍କା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଅତିରିକ୍ତ ୧୦୦ ଏକର ଜମି ଯୋଗାଇବା ସହ ଭିତ୍ତିଭୂମି ପାଇଁ ୧୫୦ କୋଟି ଟଙ୍କାର ଅନୁଦାନ ଦେବା, ଆବଶ୍ୟକ ପ୍ରଫେସର ପଦବୀ ପୂରଣ କରିବା, ସରକାରୀ ମହିଳା ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ କରିବା, ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା, ବଲାଙ୍ଗିରରେ ସେଣ୍ଟ୍ରାଲ ଲାଇବ୍ରେରୀ ସ୍ଥାପନ କରିବା, ବଲାଙ୍ଗିର ସଦର ବ୍ଲକ ଓ ଦେଓଗାଁ ବ୍ଲକ ଅଞ୍ଚଳରେ ଚାଷୀଙ୍କ ସୁବିଧା ପାଇଁ ଶୀତଳଭଣ୍ଡାର ନିର୍ମାଣ କରିବା ଓ ତୁଷୁରା ଏୟାରଷ୍ଟ୍ରିପକୁ ଅଧିକ ଅନୁଦାନ ଦେଇ ପାଇଲଟ ଟ୍ରେନିଂ କେନ୍ଦ୍ର ସ୍ଥାପନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ଏହି ପ୍ରତିନିଧି ଦଳରେ ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେର, ସୁଶୀଳ ଚାନ୍ଦ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ(ମଣ୍ଟୁ), ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ, ଲେଙ୍କା ସାହୁ, ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତୀ ବାଗ, କାଉନସିଲର ଶମ୍ଭୁ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.