mahavir

ଗଞ୍ଜାମ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ବେହେରା, ଜିଲ୍ଲା ପଂଚାୟତ ଅଧିକାରୀ ପ୍ରହ୍ଲାଦ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ, ଗୋଷ୍ଠୀ ଉନ୍ନୟନ ଅଧକାରୀ ସମ୍ବିତ ସଂଗ୍ରାମଜୀତ ସାହୁ ଯୋଗ ଦେଇଥିଲା ବେଳେ କାର୍ଯ୍ୟକ୍ରମକୁ ପ୍ରଶାନ୍ତ ଶତପଥୀ ସଂଯୋଜନା କରିଥିଲେ । ଏହି ଅବସରରେ ଅନ୍ତୋଦୟ ଗୃହ ଯୋଜନା ୨୦୨୬-୨୭ ଆର୍ଥିକ ବର୍ଷ ଅନ୍ତର୍ଗତ ୧୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ଅନୁକମ୍ପା ରାଶି ବଣ୍ଟନ ଏବଂ ୧୦ ଜଣ ହିତାଧିକାରୀଙ୍କୁ ପଡ଼ିକାର୍ଡ ବଣ୍ଟନ କରାଯାଇଥିଲା । ଅତିଥିମାନେ ଗ୍ରାମାଞ୍ଚଳ ବିକାଶ ଏବଂ କ୍ଷମତାର ବିକେନ୍ଦ୍ରିକରଣରେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ । ଯଦି ଆକଳନ କରାଯାଏ ତାହେଲେ ନାରୀ ସଶକ୍ତିକରଣ ଓ ଗାଁର ସମସ୍ୟା ସମାଧାନ ପୂର୍ବକ ଗ୍ରାମୀଣ ବିକାଶରେ ଗଞ୍ଜାମ ଜିଲ୍ଲା ନିଶ୍ଚିତ ଭାବରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବ ବୋଲି ଅତିଥିମାନେ କହିଥିଲେ । ତ୍ରି-ସ୍ତରୀୟ ପଂଚାୟତ ଲୋକପ୍ରତିନିଧି ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.