mahavir

ସଚେତନ କୃଷକ ମଞ୍ଚର ଦାବିପତ୍ର ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣା ଓ ଧର୍ମଗଡ ବ୍ଲକର ୧୮, ୮୫୫ ହଜାର ହେକ୍ଟର ଚାଷଜମିରେ ଚଳିତ ରବି ଚାଷ ଧାନ ଫସଲ ପାଇଁ ୩ ବ୍ଲକର ୭୬ ଗ୍ରାମର ୫୬,୬୪୦ ଜଣ ଚାଷୀ ରବି ଧାନ ପାଇଁ ଜଳସେଚନ କରାଯାଇଛି ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ ବିକ୍ରି ପାଇଁ ପି -ପାସ ପଞ୍ଜିକରଣ ଗତ ମାର୍ଚ୍ଚ ମାସ ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ଏହି ଅଞ୍ଚଳର ମେଗାଲିଫ୍ଟ ଚାଷୀଙ୍କ ପାଇଁ ଅନ୍‌ଲାଇନ୍‌ରେ କୌଣସି ତଥ୍ୟ ନଥିବା କାରଣରୁ ରବିଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି ଉଠା ଜଳସେଚନ ଅଞ୍ଚଳର ଚାଷୀକୁଳ । ଚାଷୀଙ୍କ ଅଭିଯୋଗ ପରେ ସରକାରୀ ଦଳର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏ ସମ୍ପର୍କରେ ପ୍ରଶ୍ନକାଳରେ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନେଇ ବିଧାନସଭାରେ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟ ଶାସକ ଓ ବିରୋଧୀ ଦଳର ନେତୃବୃନ୍ଦ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ବୁଧବାର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କୁ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ କ୍ରୟ ପାଇଁ ପି-ପାସ ପୋର୍ଟାଲ ଅବଧି ବୃଦ୍ଧି ସହ ରାଜ୍ୟର ଅନ୍ନଦାତାଙ୍କୁ ହତାଦର ନ କରିବାକୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ କୋକସରା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଯଦି ଚାଷୀଙ୍କ ଦୁଃଖ ଓ ସମସ୍ୟାକୁ ରାଜ୍ୟ ସରକାର ଅଣଦେଖା କରନ୍ତି ତାହେଲେ ଆଗାମୀ ଦିନରେ ସଚେତନ କୃଷକ ମଞ୍ଚ ପକ୍ଷରୁ ଭୟାବହ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆଯାଇଛି । ସଚେତନ କୃଷକ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ମିନିକେତନ ପ୍ରଧାନୀଙ୍କ ସଭାପତିତ୍ୱରେ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ସମ୍ପାଦକ ମନୋଜ କୁମାର ନାଏକ ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.