
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ତୃତୀୟ ଲିଙ୍ଗୀ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ଏକ ବିଶେଷ କର୍ମଶାଳା ଆୟୋଜିତ ହୋଇଥିଲା । ଓଡ଼ିଶା ଜୀବିକା ମିଶନ ଓ ସାଥୀ ସଂଗଠନର ମିଳିତ ସହଯୋଗରେ, ଉକ୍ତ କର୍ମଶାଳା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ, ତୃତୀୟ ଲିଙ୍ଗୀ ମାନଙ୍କ ସାମାଜିକ ସୁରକ୍ଷା, କର୍ମ ଯୋଗାଣ ସୁଯୋଗ ଏବଂ ଓଡିଶା ଜୀବକା ମିଶନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହିତ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଜୀବିକା ମିଶନର ବିଭିନ୍ନ ଯୋଜନା ଓ ତାହାର ବିଭିନ୍ନ ସୁବିଧା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା । ତୃତୀୟ ଲିଙ୍ଗୀଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଦକ୍ଷତା ବିକାଶ ତାଲିମ ବିଷୟରେ ଉଲ୍ଲେଖ କରାଯାଇ, ଏହି ସୁବିଧାଗୁଡିକର ଲାଭ ଉଠାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଓ ଓରମାସର ଯୁଗ୍ମ ସିଇଓ ସୌରଭମୟ ଦାସ, ଜଝଋଞଓର ନିର୍ଦ୍ଦେଶକ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅନିଲ ଦହଙ୍ଗା, ଡ଼ିପିଏମ ଓଏଲଏମ ନୀଳିମା କୁଜୁର, ସାଥୀ ଏନଜିଓର ସହାୟକ ନିର୍ଦ୍ଦେଶକ ବିଶ୍ଵଭୂଷଣ ପଟ୍ଟନାୟକ, ପ୍ରୋଗ୍ରାମ ଅଫିସର ସର୍ମିଷ୍ଠା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲା ଓ ବ୍ଲକସ୍ତରୀୟ ଓଡ଼ିଶା ଜୀବିକା ମିଶନର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଏବଂ ତୃତୀୟ ଲିଙ୍ଗୀମାନେ ଯୋଗଦାନ କରିଥିଲେ ।