
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ବିଟ୍ ଶିମିଳିପଦର ଜଙ୍ଗଲରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି । କିଛିଦିନ ହେବ କଳାହାଣ୍ଡି ଜିଲ୍ଲାରୁ ୨୬ ଟିକିଆ ହାତୀପଲ ବେଲଘର ରେଞ୍ଜ ଝିରିପାଣି ବିଟରେ ପ୍ରବେଶ କରିଥିବା ବେଳେ ପ୍ରାୟ ୧୦ ଦିନ ହେବ ଗୋଟିଏ ପରେ ଗୋଟିଏ ଜଙ୍ଗଲ ଘୁରି ବୁଲୁଥିଲେ । ହାତୀପଲରେ ଗୋଟିଏ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିବା ବନବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ । ହାତୀ ଅସୁସ୍ଥ ସମ୍ପର୍କରେ ବାଲିଗୁଡ଼ା ଡିଏଫ୍ଓ ଘନଶ୍ୟାମ ମହନ୍ତକୁ ଖବର ଦେବା ପରେ ଘଟଣାସ୍ଥଳରେ ଡିଏଫଓ, ଏସିଏଫ୍ ପହଞ୍ଚି ପ୍ରାଣୀ ଚିକିତ୍ସାଳୟର ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ଚିକିତ୍ସା ସତ୍ତ୍ବେ ହାତୀଟି ଆଖି ବୁଜି ଦେଇଥିଲା । ସନ୍ଧ୍ୟା ହୋଇ ଯାଇଥିବାରୁ ହାତୀର ଶବ ବ୍ୟବଚ୍ଛେଦ କରାଇ ଯାଇନଥିବା ଜଣାପଡିଛି । ତେବେ ବେଲଘର ରେଞ୍ଜରେ ଗତ ୪ମାସ ଭିତରେ ୩ଟି ହାତୀ ମରିଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ବେଲଘର ରେଞ୍ଜରେ ଗତ ୨୦୨୫ ଡିସେମ୍ବର ୧୨ରେ ଏକ ହାତୀ ମୃତ୍ୟୁ ହୋଇଥିବା ବେଳେ ଜାନୁଆରୀ ୫ରେ ଆଉ ଏକ ହାତୀର ମୃତ୍ୟୁ ହୋଇଥିଲା । ହାତୀମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କାହିଁକି ନା ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ସେତେବେଳେ ଖୋଦ୍ ବନ କର୍ମଚାରୀ ସାମିଲ ହୋଇଥିଲେ । ଏହି ଘଟଣାରେ ସେତେବେଳେ ଜଣେ ରେଞ୍ଜର ଓ ଏସିଏଫ୍ ନିଲମ୍ବିତ ହୋଇଥିଲେ । ପୁଣି ଆଜି ଏକ ହାତୀ ମୃତ୍ୟୁ ହୋଇଥିବା ବେଳେ କେଉଁ କାରଣରୁ ହାତୀଟି ମଲା ସେନେଇ ବନ ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ହାତୀଟି ଗୋଠଛଡା ହୋଇ ଶିମିଳିପଦର, ମୁଣ୍ଡୁଟି ଓ ଦେଶୁଘାଟି ରାସ୍ତାକଡ଼ ଜଙ୍ଗଲରେ ବୁଲି ନପାରି ପଡ଼ି ରହୁଥିଲା ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ଠିକ ଭାବେ ଚିକିତ୍ସା କରାଯାଇ ପାରି ନଥିବାରୁ ହାତୀଟି ହୁଏତ ପ୍ରାଣ ହରାଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ସୁରକ୍ଷା ଦିଗରେ ଠିକ ପଦେକ୍ଷପ ନିଆଯାଉ ନଥିବାରୁ ୪ ମାସରେ ଏହି ରେଞ୍ଜରେ ତିନିଟି ହାତୀ ମରିବା ସବୁଠୁ ଉଦ୍ବେଗର ବିଷୟ ବୋଲି ସ୍ଥାନୀୟ ପରିବେଶବିତ କୌଶିକ ସାହୁ କହିଛନ୍ତି ।