ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୧୩ ମେଲଣ ପଡିଆରେ ଆରମ୍ଭ ହେଲା ଦ୍ୱିଦିବସୀୟ ରାଉରକେଲା ଦିବସ । ଆଜି ପ୍ରଥମ ଦିବସ କାନଭାସର ମୁଖ୍ୟଉଦ୍ୟେକ୍ତା ସୁରେଶ ପ୍ରଧାନ ଓ ସୁଧାଂଶୁ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ବାର ଆସୋସିଏସନର ସଭାପତି ସଦାନନ୍ଦ ସାହୁ, ଆପୋଲୋ ହସ୍ପିଟାଲର ମୁଖ୍ୟ ଡା. ଅଖିଲ ଜୈନ, ଧର ପ୍ରମୁଖ ଯୋଗଦେଇଥିଲେ । କେପି ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ କହିଲେ ଯେ ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଲା ବିମଳାଗଡ ତାଳଚେର ରେଳ ଲାଇନ୍ ସମ୍ପୂର୍ଣ୍ଣ, ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିମାନ ସେବା ଓ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ, ଯେଉଁଥିରେ କେନ୍ଦ୍ର ସରକାର ପ୍ରାୟ ୫୦ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏପରି ହେଲେ ଲକ୍ଷାଧିକ ଲୋକେ ନିଯୁକ୍ତି ପାଇପାରିବେ । ଏହି ଅବସରରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ରାଉରକେଲା ବିକାଶରେ ମାଧ୍ୟମ ସାଜିଥିବା ଦିବଙ୍ଗତ ଶତାଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଉଦ୍ୟେକ୍ତା ଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ରଖିଥିଲେ । ଏହି ଅବସରରେ ଛେନାପୋଡ଼ ଦିବସ ପାଳନ ସହ ମୁଖ୍ୟଅତିଥି ଛେନାପୋଡ଼ କାଟି ଉତ୍ସବକୁ ଆରମ୍ଭ କରିଥିଲେ । ସେହିପରି ପରିବେଶବିତ୍ ଇଂ ଅମୂଲ୍ୟ ପ୍ରତାପ ଲାକ୍ରାଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ଦିବଙ୍ଗତ ରମେଶ ବଳ ଓ ମନୋଜ ପ୍ରଧାନଙ୍କ ସ୍ମୃତି ଚାରଣ କରାଯାଇଥିଲା । ସଭାଶେଷରେ ଅନ୍ୟତମ ସଦସ୍ୟ ନରେନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁମ୍ବାଇର ଶ୍ରଦ୍ଧା ମିଶ୍ର, ଏସ୍ ଜିତୁ , ସୌଜନ୍ୟା ପ୍ରମୁଖ କଣ୍ଠଶିଳ୍ପୀ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ଏହାକୁ ସହସ୍ରାଧିକ ଜନସାଧାରଣ ଉପଭୋଗ କରିଥିଲେ । ଅରବିନ୍ଦ ଦାସ, ପ୍ରଶାନ୍ତ ନାୟକ, ନାଚିକେତା ମହାପାତ୍ର, ବାଳମୁକୁନ୍ଦ କଦମୱଲା, ନନ୍ଦନ କଲାଲ, ଖୁସୁବୁ ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ ।
Next Post