- ସେଣ୍ଟ୍ ଆରନୋଲଡସ୍ ସ୍କୁଲର ସାଇ ଶୁଭମ୍ ପଟ୍ଟନାୟକ ଉନ୍ନତ ବୋଲିଂ ପାଇଁ ଶ୍ରେଷ୍ଠ ବିବେଚିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୧୮ ସ୍ଥିତ ଜିମିଖାନା କ୍ରିକେଟ୍ ପଡ଼ିଆରେ ଚାଲିଥିବା ଏକାଦଶତମ ହରମୋହନ ପ୍ରହରାଜ ସ୍ମାରକୀ ଆନ୍ତଃବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବୁଧବାର ଦିନ ଅନୁଷ୍ଠିତ ୨ଟି ମ୍ୟାଚ୍ରେ ସେକ୍ଟର-୨୧, ଗୁରୁନାନକ ପବ୍ଲିକ୍ ସ୍କୁଲ୍ ଓ ସେଣ୍ଟ ଆରନୋଲଡସ୍ ସ୍କୁଲ ବିଜୟ ଲାଭ କରିଛନ୍ତି । ପ୍ରଥମ ମ୍ୟାଚ୍ଟି ସେକ୍ଟର-୨୧ ଗୁରୁନାନକ ପବ୍ଲିକ ସ୍କୁଲ ଏବଂ ସେକ୍ଟର-୫ ଦୀପିକା ଇଂଲିଶ୍ ମିଡିୟମ୍ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୀପିକା ଇଂଲିଶ୍ ମିଡିୟମ ସ୍କୁଲ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୦ ରନ୍ କରିଥିଲା ବେଳେ ଜବାବରେ ଗୁରୁନାନକ ପବ୍ଲିକ ସ୍କୁଲ୍ ମାତ୍ର ୧୮.୪ ଓଭରରେ ୬ ୱିକେଟ୍ ହରାଇ ୧୪୧ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା । ଏହି ମ୍ୟାଚ୍ରେ ହର୍ଷଦୀପ ସିଂଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ଦ୍ୱିତୀୟ ମ୍ୟାଚ୍ ଛେଣ୍ଡ ଚିନ୍ମୟ ବିଦ୍ୟାଳୟ ଓ ସେଣ୍ଟ ଆରନୋଲଡସ୍ ସ୍କୁଲ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଚିନ୍ମୟ ବିଦ୍ୟାଳୟ ପ୍ରଥମ ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୦୫ ରନ୍ କରିଥିଲା । ଜବାବରେ ସେଣ୍ଟ ଆରନୋଲଡସ୍ ସ୍କୁଲ ୧୭ ଓଭରରେ ୧୦୬ ରନ୍ କରି ଏହି ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା । ଏହି ମ୍ୟାଚରେ ଆରନୋଲଡସ୍ ସ୍କୁଲର ସାଇ ଶୁଭମ୍ ପଟ୍ଟନାୟକ ଆକର୍ଷଣୀୟ ବୋଲିଂ କରି ୪ ଓଭରରେ ୧୬ ରନ୍ ଦେଇ ୪ଟି ଉଇକେଟ୍ ଅକ୍ତିଆର କରିଥିଲେ । ଏହି ଉନ୍ନତମାନର ବୋଲିଂ ପାଇଁ ସାଇ ଶୁଭମ୍ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା ।