ଲୋଇସିଂହା, (ବିମଳେନ୍ଦୁ ସାହୁ) : ନିରନ୍ତର ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁଁ ଲୋଇସିଂହା ତହସିଲ ଅନ୍ତର୍ଗତ ଛେଲବାହାଲ ବାଲିଘାଟର ଲିଜ ରଦ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏଥିପାଇଁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନିକଟରେ ଫେରାଦ ହୋଇଛନ୍ତି । ଅଭିଯୋଗ ପାଇ ମନ୍ତ୍ରୀ ଡ. ମହାଲିଙ୍ଗ ଆବଶ୍ୟକ ପଦକ୍ଷେପ ନେବା ସକାଶେ ବଲାଙ୍ଗିର ଜିଲ୍ଲାପାଳ ତଥା ଲୋଇସିଂହା ପୋଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ସୂଚନା ମୁତାବକ, ଲୋଇସିଂହା ବ୍ଲକର ଏକମାତ୍ର ଲିଜ ଅବଧି ରହିଥିବା ଛେଲବାହାଲ ବାଲିଘାଟରୁ ଲିଜଧାରୀ ବାଲି ଉଠାଉଛନ୍ତି । ତେବେ ସେହି ଅଞ୍ଚଳରୁ ଛେଲବାହାଲ ସମେତ ଯୋଗିସର୍ଡା ପଂଚାୟତର କିଛି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି । କିନ୍ତୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗ୍ୟାଲେରୀ ଉପରୁ ବାଲି ଉଠାଣ କରାଯାଉ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ପ୍ରତ୍ୟହ ହାଇୱା ଓ ଟ୍ରାକ୍ଟର ଯୋଗେ ଶତାଧିକ ଟ୍ରିପ ବାଲି ଚାଲାଣ ହେଉଥିବାରୁ ନଦୀକୁ ଯାଇଥିବା ମାଟି ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଏଥିସହିତ ଜଳ ଯୋଗାଣ ପ୍ରକଳ୍ପ ନିକଟରେ ଜଳସ୍ତର କମି ଯାଉଥିବାରୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉପରୋକ୍ତ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ତହସିଲ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଜଣାଯାଇଛି । ବାଲିଘାଟ ଲିଜ୍ ରଦ୍ଦ କରାଗଲେ ହିଁ ପାନୀୟ ଜଳ ସମସ୍ୟା ଦୂରୀଭୂତ ହେବା ସହିତ କୌଣସି ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।