ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ହେଉଛି ଦ୍ଵିତୀୟ ବାରଣାସୀ ତଥା ଓଡ଼ିଶାର ଦ୍ଵିତୀୟ ମନ୍ଦିର ମାଳିନୀ ସହର ଭାବେ ଜଣାଶୁଣା । ଅଷ୍ଟଶମ୍ଭୁ, ଅଷ୍ଟବିଷ୍ଣୁ, ଅଷ୍ଟଚଣ୍ଡୀଙ୍କୁ ନେଇ ସୁବର୍ଣ୍ଣପୁର ସହରର ପରିଚୟ । କିନ୍ତୁ ଦୀର୍ଘ ୪୬ ବର୍ଷ ଧରି ବେସରକାରୀ ମାଲିକାନାରେ ବାଡ ଭିତରେ ରହି ଅପୂଜା ଥିବା ପ୍ରଭୁ ରୁଦ୍ରନାଥଙ୍କ ମନ୍ଦିରକୁ ଆଜି ପର୍ଯ୍ୟନ୍ତ ବାଟ ନ ଥିଲା । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ, ସିନେମା ହଲ୍ ମାଲିକ, ସହରର କିଛି ଭକ୍ତ ଶ୍ରଦ୍ଧାଳୁ, ସାମ୍ୱାଦିକଙ୍କ ମିଳିତ ସହଯୋଗରେ ଖୋଦ୍ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଉଭୟ ଏଡିଏମ୍ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ପୌର ଅଧିକାରୀ ଋଷି ମାଝୀଙ୍କ ଉପସ୍ଥିତରେ ଅଷ୍ଟଶମ୍ଭୁ ମହାପ୍ରଭୁ ମଧ୍ୟରେ ଥିବା ଶ୍ରୀ ରୁଦ୍ରନାଥ ମହାପ୍ରଭୁଙ୍କ ମନ୍ଦିର ପରିସର ସଫା କରାଯାଇ ବାଟ ଫିଟିଛି । ସମାଜସେବୀ ଗୋବିନ୍ଦ ମହାରଣା, ଶ୍ରୀବତ୍ସ ମଲ୍ଲିକ, ଜମି ମାଲିକ ହୃଦାନନ୍ଦ ମେହେର, ଜୟରାମ ମେହେର, ସାମ୍ୱାଦିକ ମନରଞ୍ଜନ ତ୍ରିପାଠୀ, ସ୍ଥାନୀୟ ଅଞ୍ଚଳର ଦୀପକ ମହାପାତ୍ର, ମହେଶ ପୂଜାହାରି ପ୍ରମୁଖ ଉପସ୍ଥିତ ଥିଲେ । ସ୍ମରଣ ଯୋଗ୍ୟ ଯେ, ଅନେକ ବର୍ଷରୁ ଏଭଳି ଅଚଳାବସ୍ଥା ଯୋଗୁଁ ପ୍ରଭୁ ରୁଦ୍ରନାଥଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ ପାଉ ନଥିଲେ । ଏ ସଂପର୍କରେ ଆଗରୁ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଉଥିଲା ବେଳେ ଏବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ସହ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଦୀପକ ମହାପାତ୍ର, ମହେଶ ପୁଜାହାରୀ ଓ କାମ୍ପାଲ ବାଗଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ସଚେତନ ବ୍ୟକ୍ତି ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ତ୍ଵରିତ ପଦକ୍ଷେପ ଗ୍ରହଣ ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଥିବା ଜଣାଯାଇଛି । ଏ ନେଇ ଜିଲ୍ଲାପାଳ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ପ୍ରଭୁଙ୍କ ଇଛା ପରେ ଆଜି ମନ୍ଦିରର ବାଟ ଫିଟିଛି । ଏହି ଜାଗାର ମାଲିକଙ୍କୁ ବୁଝାଇଥିଲୁ ସେମାନେ ବାପା ପୁଅ ସ୍ୱଇଚ୍ଛାରେ ଆଜି ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚି ମନ୍ଦିର ବାଟ ଫିଟାଇବାକୁ ଯେତେ ଜମି ଦରକାର ଯୋଗାଇ ଦେବାକୁ ରାଜି ହେବା ବିଷୟ ଓ ଭକ୍ତ ଶ୍ରଦ୍ଧାଳୁ ବହୁତ୍ ଖୁସି ଅଛନ୍ତି ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ଦେବୋତ୍ତର ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମନ୍ଦିର ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ହେବ । ପ୍ରଭୁ ପୂଜା ପାଇବେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ଜିଲ୍ଲାପାଳ ଡ. ସାହୁ ମତ ରଖିଥିଲେ । ମନ୍ଦିର ଖୋଲିବା ଓ ବାଟ ଫିଟାଇବା ନେଇ ପୌର ପରିଷଦ ଓ ଅଗ୍ନିଶମ ବାହିନୀ ପହଞ୍ଚି ଏଠାକାର ଅନାବନା ଗଛ ଅଳିଆ ଆବର୍ଜନା ସବୁକୁ ଯୁଦ୍ଧ କାଳୀନ ଭିତ୍ତିରେ ସଫେଇ ଅଭିଯାନ ଜାରି ରଖିଛନ୍ତି ବୋଲି ଦେବୋତ୍ତର ବିଭାଗ ଅଧିକାରୀ ଡ. ସୌମ୍ୟାରୂପା ରଥ ମତ ପ୍ରକାଶ କରିଛନ୍ତି । ଆଜିର ଏହି ଐତିହାସିକ ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ବିଶେଷ କରି ବେସରକାରୀ ଜାଗାରେ ଆବଦ୍ଧ ହୋଇ ରହିଥିବା ଜମି ମାଲିକଙ୍କୁ ବୁଦ୍ଧିଜୀବୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରଭୁଙ୍କୁ ପ୍ରତ୍ୟହ ଦର୍ଶନ କରିବା ସୁଯୋଗ ମିଳିବ ବୋଲି ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସହରରେ ଖୁସିର ଲହରୀ ଖେଳିଯାଇଛି ।
Next Post