ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ପରିସରରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ପାନପୋଷ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଶବ ବ୍ୟବଚ୍ଛେଦ ଗୃହକୁ ଆର୍ଜିଏଚ୍ ପରିସରରେ ଥିବା ଶବାଗାର ନିକଟକୁ ସ୍ଥାନାନ୍ତରଣ କରାଯାଇଛି । ରାଜ୍ୟ ସରକାର ଓ ରାଉରକେଲା ମହାନଗର ନିଗମ ତରଫରୁ ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ । ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ କହିଛନ୍ତି ଯେ, ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା କୌଣସି ଅପ୍ରତ୍ୟାଶିତ ମୃତ୍ୟୁ ପରେ ଏହାର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ଦରକାର ହେଉଥିବା ବେଳେ ତାହା ପାନପୋଷ ଚିକିତ୍ସାଳୟ ନିକଟରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହରେ କରାଯାଉଥିଲା । ବହୁ ବର୍ଷ ଧରି ଏହି ଶବ ବ୍ୟବଚ୍ଛେଦ ଗୃହର ସ୍ଥାନାନ୍ତର ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରି ଆସୁଥିଲେ । ଯାହା ପୂରଣ ହେବା ସହ ଶବ ବ୍ୟବଚ୍ଛେଦ ଗୃହ ଆର୍ଜିଏଚ୍ ପରିସରକୁ ସ୍ଥାନାନ୍ତରିତ ହୋଇଛି ବୋଲି ସେ କହିଥିଲେ । ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ସେ କହିବା ସହ ରାଉରକେଲା ମହାନଗର ନିଗମ ତରଫରୁ ଏହି ଗୃହ ନିର୍ମାଣ ତଥା ଆବଶ୍ୟକ ସରଞ୍ଜାମ ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିବା ପ୍ରକାଶ କରିଛନ୍ତି ରାଉରକେଲା ମହାନଗର ନିଗମ ଆୟୁକ୍ତ ।