- କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ : ପ୍ରଦୀପ ପୁରୋହିତ
ବରଗଡ, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ସହ ବିଭିନ୍ନ ସମସ୍ୟାକୁ ନେଇ ନୂଆଦିଲ୍ଲୀ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ । ସେମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ପ୍ରାୟ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳି ଏବଂ ସାମୟିକ କର୍ମଚାରୀଙ୍କ ହକ ପାଇଁ ଏକ ଦୃଢ଼ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି । କେନ୍ଦୁପତ୍ର ବାଣିଜ୍ୟର ପ୍ରଶାସନିକ ଢାଞ୍ଚା ଏବଂ ଶ୍ରମିକମାନଙ୍କ ସମସ୍ୟାକୁ ନେଇ ଅବଗତ କରାଇଛନ୍ତି ପ୍ରଦୀପ ପୁରୋହିତ । ସାମୟିକ କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି କରାଯାଉ, ୨୦୨୦ ମସିହାରୁ ବନ୍ଦ ଥିବା ଦରମା ବୃଦ୍ଧିକୁ ତୁରନ୍ତ ଲାଗୁ କରାଯାଉ ଏବଂ ସର୍ବନିମ୍ନ ମଜୁରୀ ନିୟମ ଅନୁସାରେ ପାରିଶ୍ରମିକ ନିର୍ଦ୍ଧାରଣ ହେଉ । କେନ୍ଦ୍ରୀୟ ଗୋଦାମ ଜଗୁଆଳିଙ୍କର ବକେୟା ଥିବା ପ୍ରାୟ ୨.୪୦ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ । ବର୍ତ୍ତମାନର ପତ୍ର ପିଛା ୦.୦୮ ପଇସା ଦରକୁ ବର୍ତ୍ତମାନର ମହଙ୍ଗା ପରିସ୍ଥିତି ଅନୁସାରେ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ପ୍ରଦୀପ ପୁରୋହିତ । ବର୍ତ୍ତମାନ ଋତୁକାଳୀନ କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୨ ବର୍ଷ ରହିଛି , ଏହାକୁ ୬୫ ବର୍ଷକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ସାଂସଦ କହିଛନ୍ତି, ୨୦୨୦ ମସିହାରୁ ସର୍ବନିମ୍ନ ମଜୁରୀ ମାନଦଣ୍ଡ ଏବଂ ବୁଝାମଣାପତ୍ର ଅନୁଯାୟୀ ବ୍ୟବସ୍ଥା ସତ୍ତ୍ୱେ, ଋତୁକାଳୀନ କର୍ମଚାରୀଙ୍କ ପାଇଁ ମଜୁରୀରେ କୌଣସି ବୃଦ୍ଧି କରାଯାଇନାହିଁ । ଏହି ଦୀର୍ଘକାଳୀନ ସ୍ଥିରତା ଏହି ଆୟ ଉପରେ ନିର୍ଭରଶୀଳ ହଜାର ହଜାର ପରିବାର ପାଇଁ ଘୋର ଅସୁବିଧା ସୃଷ୍ଟି କରିଛି । କେନ୍ଦ୍ରୀୟ ଗୋଦାମକୁ ଦେୟ ପ୍ରାୟ ୨କୋଟି ୪୦ ଲକ୍ଷ ଟଙ୍କାର ବକେୟା ପୂର୍ବ ସରକାରଙ୍କ ନିକଟରେ ପଡ଼ି ରହିଥିବା ସୂଚନା ମିଳିଛି । ଏହି କର୍ମଚାରୀମାନେ ସେମାନଙ୍କର ପ୍ରାପ୍ୟ ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିଛନ୍ତି ଏବଂ ବକେୟା ପ୍ରାପ୍ୟ ଯଥାଶୀଘ୍ର ପ୍ରଦାନ କରିବାକୁ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅନୁରୋଧ କରିଛନ୍ତି । ବର୍ଦ୍ଧିତ ମୁଦ୍ରାସ୍ଫୀତି ଏବଂ ସଂଗ୍ରହରେ ଜଡିତ କଠିନ ପରିଶ୍ରମକୁ ଦୃଷ୍ଟିରେ ରଖି ପ୍ରତିପତ୍ରର ବର୍ତ୍ତମାନର ୦.୦୮ କ୍ରୟ ହାର ଅତ୍ୟନ୍ତ କମ୍ । ଏହି ହାରକୁ ପ୍ରତି ପତ୍ରର ଅତି କମରେ ୦.୧୨କୁ ବୃଦ୍ଧି କରାଯାଉ, ଯାହା ଲକ୍ଷ ଲକ୍ଷ ଆଦିବାସୀ ସଂଗ୍ରହକାରୀଙ୍କୁ ଅତ୍ୟନ୍ତ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି । କେନ୍ଦୁପତ୍ର ଅର୍ଥନୀତି କେବଳ ଏକ ବାଣିଜ୍ୟ ନୁହେଁ ଏହା ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଆଦିବାସୀ ଏବଂ ଜଙ୍ଗଲରେ ବାସ କରୁଥିବା ପରିବାରର ଜୀବନରେଖା । ଏହି ଶ୍ରମିକମାନେ ପ୍ରଚଣ୍ଡ ଗରମ ଏବଂ କଷ୍ଟକର ପରିସ୍ଥିତିରେ ଜଙ୍ଗଲକୁ ପ୍ରବେଶ କରନ୍ତି । ରାଜ୍ୟର ଜଙ୍ଗଲ-ଭିତ୍ତିକ ରାଜସ୍ୱ ଏବଂ ଗ୍ରାମୀଣ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତି । ସେମାନଙ୍କର ମର୍ଯ୍ୟାଦା, ନ୍ୟାୟପୂର୍ଣ୍ଣ ମଜୁରୀ ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା କେବଳ ଏକ ନୀତିଗତ ବିଷୟ ନୁହେଁ ବରଂ ଏକ ନୈତିକ ଦାୟିତ୍ୱ ମଧ୍ୟ।ତେଣୁ ଏହା ଉପରେ ଗୁରୁତ୍ୱର ସହ ପ୍ରସଙ୍ଗକୁ ନେଇ ତୁରନ୍ତ ବିଚାର କରିବାକୁ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।