ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡଯାତ୍ରା ଏକ ନିଆରା ମହନୀୟ ଗଣପର୍ବ ଅଟେ । ଏହା ସାଧାରଣତଃ ୧୩ ଦିନିଆ, ୧୮ ଦିନିଆ, ୨୧ ଦିନିଆ ଭାବେ ଦଣ୍ଡଯାତ୍ରା ପ୍ରଚଳିତ ହୋଇ ଆସିଥାଏ । ୨୧ ଦିନିଆ ଦଣ୍ଡଯାତ୍ରା ନିମନ୍ତେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇ ଆସିଥିବା ବହୁ ପୁରାତନ ଦଣ୍ଡକାଳୀ ପ୍ରଚାର ସଂସ୍ଥା କମାପଲ୍ଲୀ ଗ୍ରାମ ଏବେ ଉତ୍ସବମୁଖର ହୋଇଉଠିଛି । ପ୍ରକାଶ ଥାଉକି, ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କମାପଲ୍ଲୀ ଗ୍ରାମରେ ମା’ ଶ୍ୟାମାକାଳୀ ନାଟ୍ୟ ସଂସଦ ସହଯୋଗରେ ଦଣ୍ଡଯାତ୍ରାର ପ୍ରଚଳିତ ନାଟକର ବହି ପୂଜା ସହ ନାଟକ ପ୍ରସ୍ତୁତି ଅବା ନାଟକର ରିହାରସେଲ ମଧ୍ୟ ଆରମ୍ଭ ହୋଇଯାଇଛି । ଲେଖକ ଅରୁଣ ବାରିକ ସାମାଜିକ ନାଟକ “ଈଶ୍ୱର ଅଲ୍ହା ତେରୋ ନାମ୍”ର ବହି ପୂଜା ସାଂଗକୁ ଅଭ୍ୟାସ କରାଯାଇଥିଲା । ନିର୍ଦ୍ଦେଶକ ଡ଼ଃ. ଗୌରୀ ଶଙ୍କର ଶତପଥୀ ଅଧିକାରୀ ଶଶୀଧର ପଣ୍ଡା ଏବଂ ପରିଚାଳକ ବି. ସୌମ୍ୟା ପାତ୍ରଙ୍କ ଦ୍ୱାରା ଏହି ନାଟକ ପରିବେଷିତ ହେବ । ଚଳିତ ମାସ ୨୫ ତାରିଖ ଦିନ ଏହି ଗ୍ରାମରେ ୨୧ ଦିନିଆ ଦଣ୍ଡଯାତ୍ରା ବାହାରିବ ବୋଲି ଜଣାଯାଇଛି । ଏହି ନାଟକ ଗଞ୍ଜାମ ଜିଲ୍ଲାର ବଛା ବଛା କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକକୁ ବିମୋହିତ କରିବ । ଏହି ନାଟକ ଅଭିନୟରେ ସୁକୁରୁ ପଣ୍ଡା, ସୁବାସ ନାୟକ, ସନ୍ତୋଷ, ଦିଲୀପ, ଚିନୁ, ସୁରେଶ ସେଠୀ, ଅବିନାଶ, ନିରାକାର, ଚାନ୍ଦୁ, ସୁରେଶ, ମନୁ, ଝୁମୁରି, କଣ୍ଢେଇ, ରୀନା, ବେବିନା ଆଦି କଳାକରଙ୍କୁ ନେଇ ପ୍ରସ୍ତୁତି ଚାଲିଛି ।