ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ କରପଡା ଗ୍ରାମର ଅଧିଷ୍ଠାତ୍ରୀ ଗ୍ରାମଦେବୀ ମା’ ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ନୂତନ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଏହାର ପ୍ରତିଷ୍ଠା ଉତ୍ସବ ବିଦ୍ଧିବଦ୍ଧ ଭାବେ ପାଳନ ହେବା ପୂର୍ବକ ରବିବାର ଜଳଯାତ୍ରା ସମ୍ପନ୍ନ ହୋଇଛି । ପୂଣ୍ୟତ୍ତୋୟା ଋଷିକୁଲ୍ୟା ନଦୀରୁ ଜଳ ଅଣାଯାଇ ୧୦୦୮ ପୂର୍ଣ୍ଣ କଳସରେ ଯଜ୍ଞ ବେଦୀରେ ସଂସ୍ଥାପନ ହୋଇଥିବା ସାଂଗକୁ ଯଜ୍ଞାନୁଷ୍ଠାନ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ଶହଶ୍ରାଧିକ ସଧବା ନାରୀମାନେ କରପଡା ଗ୍ରାମର ନଦୀକୂଳକୁ ଯାଇ ପାରମ୍ପରିକ ବିଧିମତେ କଳସରେ ଜଳ ଆଣି ନଗର ପରିକ୍ରମଣ କରି ଯଜ୍ଞବେଦୀ ନିକଟରେ ସଂସ୍ଥାପନା କରିଛନ୍ତି । ପୂଜା ପଣ୍ତିତଙ୍କ ବେଦଧ୍ଵନିରେ ଏବଂ ଠାକୁରଙ୍କ ଜୟକାର ଧ୍ୱନି, ନାନା ବାଦ୍ୟ ଧ୍ଵନି ସାଂଗକୁ ହରିବୋଲ ଏବଂ ନାରୀ ମାନଙ୍କର ହୁଳାହୁଳି ଧ୍ଵନିରେ ସ୍ଥାନଟି ମୁଖରୀତ ହୋଇ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଛି । ମା’ ରାମଚଣ୍ଡୀ ପୂଜା କମିଟି ସଭାପତି ସି.ଏଚ୍. ଦୟାନନ୍ଦ ରେଡ୍ଡୀ ଏବଂ ସଂଯୋଜକ କମଳ କୁମାର ପଣ୍ଡା, ମୁଖ୍ୟଉଦ୍ୟକ୍ତା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), କରପଡ଼ା ଗ୍ରାମ ପଂଚାୟତ ର ସମସ୍ତ ଗ୍ରାମର ଗ୍ରାମବାସୀଙ୍କ ସମେତ ସରପଞ୍ଚ ଅଜୟ ନାୟକଙ୍କ ଉପସ୍ଥିତିରେ ପ୍ରତିଷ୍ଠା କମିଟିର ସଭାପତି ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ ଭାସ୍କର ନାୟକ, କୋଷାଧ୍ୟକ୍ଷ ଜଗନ୍ନାଥ ନାୟକ ଏବଂ ଉଭୟ କମିଟିର ସଂଯୋଜକ ରାମଚନ୍ଦ୍ର ନାୟକ ଏହି କାର୍ଯ୍ୟ ନିର୍ବାହ କରିଆସୁଛନ୍ତି ।