ପୂର୍ଣ୍ଣଚନ୍ଦ୍ର ସ୍ମୃତି ନ୍ୟାସର ପ୍ରତିଷ୍ଠାତା ବାଞ୍ଛାନିଧି ରଥଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ଣ୍ଣଚନ୍ଦ୍ର ସ୍ମୃତି ନ୍ୟାସର ପ୍ରତିଷ୍ଠାତା ବାଞ୍ଛାନିଧି ରଥଙ୍କ ଗତକାଲି ରାତିରେ ବଲାଙ୍ଗିର ଠାରେ ପରଲୋକ ହୋଇଯାଇଛି । ୧୯୩୨ ମସିହାରେ ସେକାଳର ପାଟଣାଷ୍ଟେଟରେ ଜନ୍ମିତ ଶ୍ରୀ ରଥ, ବଲାଙ୍ଗିରର ରାଜେନ୍ଦ୍ର କଲେଜରୁ ବିଏ ପାସ କରିବା ପରେ କଟକର ମଧୂସୂଦନ ଆଇନ ମହାବିଦ୍ୟାଳୟରୁ ଡିଗ୍ରୀ ଲାଭ କରି କିଛି ସମୟ ଓକିଲାତି କରିବା ପରେ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ନାଲ୍‌କୋର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବରେ ଅବସର ନେଇଥିଲେ । ଶ୍ରୀ ରଥ ତଦାନୀନ୍ତନ ପାଟଣା ରାଜ୍ୟ ତଥା ବଲାଙ୍ଗିର ଜିଲ୍ଲା ତରଫରୁ ଉଭୟ ଫୁଟବଲ ଏବଂ ହକି ଖେଳି ସୁନାମ ଅର୍ଜନ କରିଥିଲେ । ଦୀର୍ଘ ୯୩ ବର୍ଷର ଜୀବନକାଳରେ ସ୍ୱକୀୟ ଟ୍ରଷ୍ଟ ଏବଂ ରାଜ୍ୟ ତଥା ଦେଶର ଅନେକ ସଂସ୍ଥା ସହ ଜଡିତ ହୋଇ ଜୀବନର ଶେଷ ପର୍ଯ୍ୟନ୍ତ ସକ୍ରିୟ ସମାଜ ସେବାରେ ନିଜକୁ ବ୍ରତୀ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଶ୍ରୀରଥଙ୍କ ବଳିଷ୍ଠ ନେତୃତ୍ୱରେ ଏହି ଟ୍ରଷ୍ଟ ଆନୁକୂଲ୍ୟରେ ଇତିହାସ ତଥା ପ୍ରତ୍ନତାତ୍ୱିକ ଗବେଷଣାଧର୍ମୀ ଅନେକ ପୁସ୍ତକ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଅଛି । ଅମଳିନ ବ୍ୟକ୍ତିତ୍ୱର ଅଧିକାରୀ ଶ୍ରୀରଥଙ୍କ ଅନ୍ତିମ ଇଚ୍ଛାନୁଯାୟୀ ତାଙ୍କ ମରଶରୀରକୁ ଭେଷଜ ଛାତ୍ରମାନଙ୍କ ପଠନ ନିମିତ୍‌ତ୍ତ ପରିବାର ତରଫରୁ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜକୁ ଦାନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବାର କଥାଟି ଚିରଦିନ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତ ପ୍ରକାଶ ପାଇଛି । ଶ୍ରୀ ରଥଙ୍କ ତିରୋଧାନ ଖବର ପାଇ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।

Leave A Reply

Your email address will not be published.