ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଓ ଚବିଶପ୍ରହର ନାମଯଜ୍ଞ ହେବ ବୋଲି ଆୟୋଜକ କମିଟିର ସଭାପତି ଚନ୍ଦ୍ରମଣୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଆୟୋଜକ କମିଟିର ସଭାପତି ଭାବରେ ଚନ୍ଦ୍ରମଣି ତ୍ରିପାଠୀ, ଉପସଭାପତି -ଋଷଭ ପୁଟେଲ, ଜାହ୍ନବୀ ନାଏକ, ସଂପାଦକ ଅରବିନ୍ଦ ପରୁଆ, ସହସଂପାଦକ ଅଶ୍ୱିନୀ ସାଏ, କୋଷାଧ୍ୟକ୍ଷ ଭାବେ ମହେନ୍ଦ୍ର ସାଏ ଓ ସହକୋଷାଧ୍ୟକ୍ଷ ଦୁର୍ବାଦଳ ପଟେଲ ରହିଛନ୍ତି । ମନ୍ଦିର ପ୍ରତିଷ୍ଠା କର୍ତ୍ତା ଭାବରେ ଦେବାନନ୍ଦ ପଟେଲ ଓ ତାଙ୍କ ଧର୍ମପତ୍ନୀ ଜୟନ୍ତି ପଟେଲ, ଚବିଶପ୍ରହରୀ ନାମଯଜ୍ଞରେ କର୍ତ୍ତା ଭାବେ ରାମକୃଷ୍ଣ ସାଏ ଓ ତାଙ୍କ ଧର୍ମପତ୍ନୀ ଦିପ୍ତିମୟୀ ସାଏ ରହିବେ । କଆଗାଁର ସୁଶାନ୍ତ ମିଶ୍ର ପୂଜକ ଦାୟିତ୍ୱ ନେଇଛନ୍ତି । କମିଟି ସହିତ ପଡାର ବରିଷ୍ଠ ନାଗରିକମାନେ ଉପଦେଷ୍ଟା ରହିଛନ୍ତି । ପ୍ରକାଶ ଯେ, ଗଉଁତିଆ ଦୁର୍ଗାପ୍ରସାଦ ସାଏଙ୍କ ଉଦ୍ୟମରେ ଏଠାରେ ରାମଲୀଳା ନାଟକ ସହିତ ମନ୍ଦିର ନିର୍ମିତ ହୋଇଥିଲା । ଆସନ୍ତା ୫ଦିନ ଧରି ବଲାଙ୍ଗିର ସହରର ତାଲପାଲିପଡା ଉତ୍ସବମୁଖର ହେବ । ତାଲପାଲିପଡାରେ ପୁନଃନିର୍ମିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ଚବିଶ ପ୍ରହର ନାମଯଜ୍ଞ ପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି । ଆଜି କଳସ ଶୋଭାଯାତ୍ରା ତଥା ଅଧିବାସ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ୨୫ ତାରିଖରେ ବିଗ୍ରହ ପ୍ରତିଷ୍ଠା ଓ ୨୬ ତାରିଖରେ ସିଂଘାସନ ଆରୋହଣ, ଗର୍ଭଗୃହରେ ଷୋଡଶ ଉପଚାର ପୂଜା ସହିତ ପୂର୍ଣ୍ଣାହତି କରାଯିବ । ପ୍ରତ୍ୟେକ ଦିନ ହୋମ ଯଜ୍ଞ ସହିତ ନାମ ସଂକିର୍ତ୍ତନ୍ୟ କରାଯିବ । ଶେଷଦିନରେ ଛତିଶଗଡ ଝାରବନ୍ଧ ଓ ଧାନବସାର ବୈଠକି କିର୍ତ୍ତନ ମୁଖ୍ୟଆକର୍ଷଣ ରହିଛି । ତାଲପାଲିପଡାର ବିଶିଷ୍ଟବ୍ୟକ୍ତିଙ୍କୁ ନେଇ ଆୟୋଜକ କମିଟି ଗଠନ କରାଯାଇଛି । ପଡାର ସମସ୍ତେ ସହଯୋଗର ହାତ ବଢାଉଛନ୍ତି । ପଡାର ସମସ୍ତବର୍ଗର ଲୋକ ଏଥିରେ ସାମିଲ ହୋଇଛନ୍ତି । ରାଜନୈତିକ ଭେଦଭାବ ଦୂରରେ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁବଗୋଷ୍ଠୀ ବାହାରିଛନ୍ତି । ଗତ ୨ବର୍ଷ ତଳେ ମନ୍ଦିରର ରତ୍ନମୁଦ କରାଯାଇଥିଲା । କଳିକେଶ ନାରାୟଣ ସିଂଦେଓ ସାଂସଦ ଥିବାବେଳେ ପ୍ରଥମ କରି ଏହି ମନ୍ଦିର ପୁନଃରୁଦ୍ଧାର ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । ପରେ ରତ୍ନମୁଦ କାର୍ଯ୍ୟକ୍ରମ ବେଳେ ଆଉ ଅନୁଦାନ ଦେଇ ମନ୍ଦିର କାମକୁ ସଂପୂର୍ଣ୍ଣ କରାଇବାକୁ ପଡାବାସୀ ଅନୁରୋଧ କରିଥିଲେ । ଲୋକଙ୍କ ଦାବିକୁ ନେଇ କଳିକେଶ ନାରାୟଣ ସିଂଦେଓ ଓ ପୌରାଧ୍ୟକ୍ଷା ଅନୁଦାନ ଯୋଗାଡ କରିଦେଇଥିଲେ । ଯାହାପାଇଁ ମନ୍ଦିରଟି ସଂପୂର୍ଣ୍ଣ ହୋଇପାରିଛି । ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ବିଧାୟକ କଳିକେଶ ନାରାୟଣ ସିଂଦେଓ, ପୌରାଧ୍ୟକ୍ଷା ଲିକା ସାହୁ ଓ କାଉନସିଲର ଅରବିନ୍ଦ ପରୁଆ ଉପସ୍ଥିତ ରହିବେ ବୋଲି ପ୍ରତିଶୃତି ଦେଇଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।